ଶାହାଙ୍କ ଟଙ୍କା ପଇସାର ହିସାବ ! ଓଡିଶାକୁ ମୋଦିଙ୍କ ହାତଖୋଲା ଅନୁଦାନ ନେଇ ଅମିତ୍ ଦେଲେ ହିସାବ

57

କନକ ବ୍ୟୁରୋ : କେନ୍ଦ୍ରୀୟ ଅବହେଳାର ନାରା ଦେଉଥିବା ବିଜେଡିକୁ ଆଜି ଲକ୍ଷ ଲକ୍ଷ କୋଟି ଟଙ୍କାର ଅନୁଦାନର ହିସାବ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । କହିଛନ୍ତି ମୋଦିଙ୍କ ସମୟରେ କେନ୍ଦ୍ର ସରକାର ହାତ ଖୋଲିଦେଇଛନ୍ତି । କହିଛନ୍ତି ଓଡିଶାକୁ ଗତ ତିନି ବର୍ଷରେ ଚାରି ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛି କେନ୍ଦ୍ର । ସେପଟେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଜବାବ ଦେଇଛି ବିଜେଡି । କହିଛି ଓଡିଶାର ଟଙ୍କା ଓଡିଶାକୁ ମିଳିଛି । ପୁଣି ଏହାକୁ କାଉଁଟର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡାକିଥିଲେ ପ୍ରେସମିଟ୍ । ଟଙ୍କା ପଇସାର ଏହି ହିସାବକିତାବ ଭିତରେ ଆଜି ଦିନ ତମାମ ରାଜ୍ୟ ରାଜନୀତି ଚଳଚଂଚଳ ଥିଲା ।

ଯେଉଁ କେନ୍ଦ୍ରୀୟ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନିର୍ବାଚନୀ ଯୁଦ୍ଧରେ ମୁଖ୍ୟ ଅସ୍ତ୍ର କରୁଥିଲା ଶାସକ ବିଜେଡି, ଆଜି ତାରି ଉପରେ ସିଧାସଳଖ ହମଲା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେନ୍ଦ୍ରୀୟ ଅନୁଦାନର କଚ୍ଚା ଚିଠା ଖୋଲିଦେଇ, ବିଜେଡିକୁ ଅଡୁଆ ସ୍ଥିତିରେପକାଇ ଦେଇଛନ୍ତି ଅମିତ ଶାହା ।

ଚତୁର୍ଦଶ ଅର୍ଥ କମିଶନ ଜରିଆରେ ଓଡ଼ିଶାକୁ ବହୁ ଗୁଣରେ ଅଧିକ ଅର୍ଥ ଦିଆଯାଉଥିବା ଅମିତ ଶାହା ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜବାବରେ ବିଜେଡି କହିଛି-ଆମରି ପଇସା ଆମକୁ ଦିଆଯାଉଛି । ଅମିତ ଶାହାଙ୍କ ଏହି ହମଲାର ଜବାବ୍ ରଖିବା ପାଇଁ ସମ୍ମାଦିକ ସମ୍ମିଳନୀ ଜରିଆରେ ଓହ୍ଲାଇ ଆସିଥିଲେ ବିଜୁ ଜନତା ଦଳର ୟଙ୍ଗ ବ୍ରିଗେଡ୍ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀର ଜବାବ୍ ରଖିଥିଲେ ଓଡ଼ିଶାରେ ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରୀୟ ଅବହେଳାର ନାରା, ଆଂଚଳିକ ଦଳ ବିଜେଡିକୁ ବେଶ ସହାୟକ ହେଉଥିବାରୁ, ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ନବୀନଙ୍କ ବିରୋଧରେ ଏହି ହିସାବ-କିତାବର ଅସ୍ତ୍ର ଛାଡ଼ିଛନ୍ତି । ଏପଟେ ବିଜେଡି ମଧ୍ୟ, ବିଳମ୍ବ ନକରି ପାଲଟା ବାଣ ଛାଡ଼ିଛି । କିନ୍ତୁ ଲକ୍ଷ ଲକ୍ଷ କୋଟିର ଏସବୁ ହିସାବକୁ ଯେମିତି ଉପହାସ କରୁଛି ଓଡ଼ିଶାର ଦାରିଦ୍ର୍ୟ ।