ଉଜ୍ଜଳ ତ୍ୱଚା ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଲଗାନ୍ତୁ ବେସନ । 

204

ସୁନ୍ଦର ଦେଖାଯିବା ପାଇଁ ଆମେ ବଜାରର ଦାମୀରୁ ଦାମୀ ପ୍ରଡକ୍ଟ ବ୍ୟବହାର କରିଥାଉ କିନ୍ତୁ କିଛି ପ୍ରଡକ୍ଟ ସୁଫଳ ଦେଇଥିବା ବେଳେ ଅନ୍ୟ କିଛି ପ୍ରଡକ୍ଟ ଆମକୁ ନିରାଶ କରିଥାଏ । ତେବେ ଆପଣଙ୍କ ରୋଷେଇ ଶାଳରୁ ହିଁ କିଛି ଏମିତି ଦ୍ରବ୍ୟ ଅଛି ଯାହାକୁ ବ୍ୟବହାର କଲେ ଆପଣ ପ୍ରାକୃତିକ ଭାବେ ନିଜ ଚେହେରାରେ ଚମକ ଆଣିପାରିବେ । ତେବେ ରୋଷେଇ ଶାଳର ପ୍ରମୁଖ ଦ୍ରବ୍ୟ ମଧ୍ୟରୁ ବେସନ ହେଉଛି ଅନ୍ୟତମ ଯାହା ଆପଣଙ୍କୁ ସୁନ୍ଦର ଚେହେରା ଦେବାରେ ସହାୟକ ହେବ ।

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେସନର ଉପଯୋଗ କଲେ ମିଳିଥାଏ ଅନେକ ସୁଫଳ । ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ କିମ୍ବା ପ୍ରଦୂଷଣ କାରଣରୁ ତ୍ୱଚାରେ ଦେଖାଯାଉଥିବା ସମସ୍ୟା ଦୂର କରିବା ପାଇଁ ବେସନ ପ୍ୟାକ୍ ଲଗାଇଲେ ମିଳିଥାଏ ସୁଫଳ । ବେସନ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଉଜ୍ଜ୍ୱଳ ହେବା ସହ କଳାଦାଗ ଦୂର ହୋଇଥାଏ । ତ୍ୱଚା ତୈଳାକ୍ତ ହୋଇଥିଲେ ଏହାକୁ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ବେସନରେ ଗୋଲାପଜଳ ମିଶାଇ ମୁହଁରେ ଲଗାଯାଇଥାଏ । ପ୍ୟାକ୍କୁ ପ୍ରାୟ ୧ ଘଣ୍ଟା ପର୍ୟ୍ୟନ୍ତ ମୁହଁରେ ଲଗାଇ ପରେ ପାଣିରେ ମୁହଁକୁ ଭଲଭାବେ ଧୋଇଲେ ତ୍ୱଚା କୋମଳ ହୋଇଥାଏ ବୋଲି ବିୟୁଟି ସିଆନ୍ କହିଥାନ୍ତି । ବେସନରେ ଦହି ଓ ମଲାଇ ମିଶାଇ ଏହାକୁ ମୁହଁରେ ୨୦ ମିନିଟ୍ ପର୍ୟ୍ୟନ୍ତ ଲଗାଇ ରଖିଲେ ମିଳେ ଅନେକ ଉପକାର। ତ୍ୱଚାକୁ କୋମଳ କରିବା ପାଇଁ ବେସନ ସହ ଦୁଧ ମଲାଇ, ମହୁ ଓ ଏକ ଚୁଟ୍କୀ ହଳଦୀ ମିଶାଇ ଏହି ପେଷ୍ଟ ମୁହଁରେ ଲଗାଲେ ମିଳେ ଅନେକ ଉପକାର । ଖରାରେ ତ୍ୱଚାରେ ଟାନିଂ ସମସ୍ୟା ଦେଖାଦେଲେ ବେସନ ଲଗାଇବା ଆବଶ୍ୟକ । ତ୍ୱଚାରେ ଲୋମଛିଦ୍ର ଖୋଲିଗଲେ ବାହାରର ମଇଳା ଖୁବଶୀଘ୍ର ଭିତରକୁ ପ୍ରବେଶ କରିଥାଏ । ଏହାଦ୍ୱାରା ଆମ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବେସନରେ କାକୁଡ଼ି ରସ ଓ ଗୋଲାପଜଳ ମିଶାଇ ଚେହେରାରେ ଲଗାଇଲେ ଲାଭ ମିଳିଥାଏ।