କମ୍ପ୍ୟୁଟରର ମୁଣ୍ଡଜାମିନ୍ ! ସିଷ୍ଟମକୁ ହ୍ୟାକ୍ କରିଥିବା ସାଇବର୍ ଅପରାଧୀ ମାଗିଲେ ଟଙ୍କା

63

କନକ ବ୍ୟୁରୋ : ଭାଇରସ୍ ଜାଲରେ ଓଡିଶା । ଦକ୍ଷିଣରୁ ପଶ୍ଚିମ, ଉପକୂଳରୁ ଆଭ୍ୟନ୍ତରୀଣ । ୱାନାକ୍ରାଏ ରାନସମୱେୟାର ଭାଇରସ୍ ଚକ୍ରବ୍ୟୁହରେ ରାଜ୍ୟ । ଗଂଜାମର ବ୍ରହ୍ମପୁର ଓ ପୁରୁଷୋତମପୁର ପରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସିଷ୍ଟମ ହ୍ୟାକ୍ । ଔଷଧ ବିତରଣ କେନ୍ଦ୍ରର ଦୁଇଟି କମ୍ପ୍ୟୁଟରକୁ ଅଚଳ କରିଦେଇଛନ୍ତି ହ୍ୟାକର । କ୍ଷଣିକ ମଧ୍ୟରେ କମ୍ପ୍ୟୁଟରରେ ଥିବା ବର୍ଷ ବର୍ଷର ଡାଟା ଉଭାନ ହୋଇଯାଇଛି । ସିଷ୍ଟମକୁ ମୁଣ୍ଡଜାମିନ ରଖି ହ୍ୟାକର ଦାବି କରିଛନ୍ତି ୩ ଶହ ଡଲାର ।

ସେପଟେ ଅଚଳ ହୋଇପଡିଛି ବୁର୍ଲା ମେଡିକାଲ କଲେଜର ବ୍ଲଡ୍ ବ୍ୟାଙ୍କ । ସିକଲିନ ସେଲରେ ଥିବା କଂପୁଟରରେ ପଶିଛି ଭାଇରସ୍ । ସିଷ୍ଟମ ହ୍ୟାକ୍ କରି ୩୦୦ ଡଲାର ଦାବି କରିଛନ୍ତି ଅଜଣା ହ୍ୟାକର । ନୟାଗଡ ଶରଣକୁଳର ଏକ ଘରୋଇ ଫଟୋ ଷ୍ଟୁଡିଓ ସିଷ୍ଟମ ବି ହ୍ୟାକରଙ୍କ କବଜାରେ । କମ୍ପ୍ୟୁଟର ସ୍କ୍ରିନରେ ପ୍ରଥମେ ଲାଲ ତାଲା ଭଳି ଏକ ସିମ୍ବଲ ଦେଖାଯାଇଥିଲା । ଆଉ ତାକୁ କ୍ଳିକ୍ କରିବା ପରେ ଅଚଳ ହୋଇପଡିଥିଲା ପୁରା ସିଷ୍ଟମ । ଏଠି ମଧ୍ୟ ସିଷ୍ଟମ ଫାଇଲ ଉଦ୍ଧାର ପାଇଁ ହ୍ୟାକର ଦାବି କରିଛନ୍ତି ୩ ଶହ ଡଲାର ।

କମ୍ପ୍ୟୁଟରକୁ ବନ୍ଧା ରଖି ହ୍ୟାକର ଦାବି କରୁଛନ୍ତି ୩ଶହ ଡଲାର । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୨୦ ହଜାର ଟଙ୍କା । ବିଟ୍ କଏନ୍ ଜିରିଆରେ ଟଙ୍କା ପୈଠ କରିବାକୁ ସର୍ତ୍ତ ରଖୁଛନ୍ତି ହ୍ୟାକର । ଏହାରି ଭିତରେ ବ୍ରହ୍ମପୁର ସିଟି ହସ୍ପିଟାଲରେ ହୋଇଥିବା ହ୍ୟାକ୍ ଘଟଣାରେ ରିପୋର୍ଟ ଆସିଛି । ଇମେଲ ଆଟାଚ୍ମେଂଟ ଖୋଲିବା ବେଳେ ସିଷ୍ଟମରେ ପଶିଥିଲା ଭାଇରସ । ଏଥିସହ କଂପୁଟରରେ ଆଂଟି ଭାଇରସ ଅପଡେଟ୍ ହୋଇନଥିବା ରିପୋର୍ଟରେ ଦର୍ଶାଯାଇଛି ।

ବିଶ୍ୱର ଏକ ଅଜ୍ଞାତ କୋଣରେ ବସି ଓଡିଶାର ପୁରପଲ୍ଲୀକୁ ଅତି ସହଜରେ ଟାର୍ଗେଟ୍ କରୁଛି ହ୍ୟାକର । ଯାହାର ପତା ପାଇପାରୁ ନାହାଁନ୍ତି ବିକଶିତ ଦେଶର ବଡ ବଡ ଆଇଟି ବିଶେଷଜ୍ଞ ।