ଜାଇକା କାମ ବେଳେ ଅଘଟଣ ! ଭୁଶୁଡ଼ିଲା ପାଚେରୀ, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

29

କନକ ବ୍ୟୁରୋ: ଜାଇକା କାମ ବେଳେ ଘଟିଲା ଅଘଟଣ । ଗୋଟିଏ ମାତ୍ର ଝଟକାରେ ଭୁଶୁଡି ପଡିଲା ଘର ଓ ପାଚେରୀ । ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର। କଟକ ସହରରେ ଜାଇକାର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ତେଜି ଉଠିଥିବା ବେଳେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଜାଇକାର ଭାଇବ୍ରେଟର ମାଡରେ ଜଣେ ବ୍ୟକ୍ତିଙ୍କର ୩ ବଖରା ଘର ଧୂଳିସାତ ହୋଇଥିବା ବେଳେ ଘରର ସବୁ ଆସବାବପତ୍ର ମାଟି ତଳେ ପୋତି ହୋଇଯାଇଛି । ତେବେ ଦୈବୀ କୃପାରୁ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

ସୂଚନା ଅନୁଯାୟୀ, ସିଏମସି ୫୩ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ଅନ୍ଦରପୁରରେ ଦୀର୍ଘ ଦିନ ହେବ ଜାଇକା କାମ ଚାଲୁ ରହିଛିା ଏହି କ୍ରମରେ ଗତ ମେ ମାସରେ ସ୍ଥାନୀୟ ନାଗେଶ୍ୱର ମନ୍ଦିର ପାଖରେ ଜାଇକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭାଇବ୍ରେଟର ପ୍ରଭାବରେ ଆଇନଜୀବୀ ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆଜବେଷ୍ଟସ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା । ଏ ନେଇ ଶ୍ରୀ ଆଚାର୍ଯ୍ୟ ଜାଇକା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାମ ସମୟରେ ମରାମତି କରିବା ସହ ଆଉ ଏପରି ଭୁଲ ନ ହେବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆଚାର୍ଯ୍ୟ ନିଜ ଖର୍ଚ୍ଚରେ ଘରର ମରାମତି କରିଥିଲେ । କିଛି ଦିନ କାମ ବନ୍ଦ ରହିବା ପରେ ଗତ ୫/୬ ଦିନ ତଳେ ପୁଣି ସେଠାରେ କାମ ଆରମ୍ଭ ହୋଇଥିଲା । ସୁରକ୍ଷାଗତ ପଦକ୍ଷେପ ନିଆନ ଯାଇ ଜାଇକା କାମ ଆରମ୍ଭ କରିଥିବାବେଳେ ଗତକାଲି ଶ୍ରୀ ଆଚାର୍ଯ୍ୟ ଏହାକୁ ବିରୋଧ କରିଥିଲେ ।

ବିରୋଧ ଯୋଗୁଁ ଜାଇକା କିଛି ଘଣ୍ଟା ପାଇଁ କାମ ବନ୍ଦ ରଖି ସଂଧ୍ୟା ୫ଟା ଠାରୁ ପୁଣି ଥରେ କାମ ଚାଲୁ କରିଥିଲା । ତେବେ କାମରେ ଭାଇବ୍ରେଟର ବ୍ୟବହାର ଯୋଗୁ ଘର ଥରିବାକୁ ଲାଗିଥିଲା । ଏହା ଦେଖି ଶ୍ରୀ ଆଚାର୍ଯ୍ୟଙ୍କ ପରିବାର, ତାଙ୍କ ଘରେ ଭଡା ରହୁଥିବା ଅଶୋକ ମିଶ୍ର ଏବଂ ଗାଡି ଡ୍ରାଇଭର ଘର ଛାଡି ବାହାରକୁ ପଳାଇ ଆସିଥିଲେ ।

ଏହା ପରେ ଝଟକାରେ ଶ୍ରୀ ଆଚାର୍ଯ୍ୟଙ୍କ ୩ ବଖରା ଘର, ପାଚେରୀ ପୂରା ଭୁଶୁଡି ପଡିଥିବା ବେଳେ ଘରେ ଥିବା ଟିଭି, ଫ୍ରିଜ, ତାଙ୍କ ଚାମ୍ବରର ବହି ତଥା ଅନ୍ୟାନ୍ୟ ଆସବାବପତ୍ର ମାଟି ତଳେ ପୋତି ହୋଇଯାଇଛି । ତେବେ ବାହାରକୁ ଚାଲି ଆସିଥିବା ଯୋଗୁ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ମିଶ୍ରଙ୍କ ପରିବାର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ଏହି ଘଟଣା ପରେ ଜାଇକା କର୍ତ୍ତୃପକ୍ଷ କାମ ଛାଡି ଫେରାର ହୋଇଯାଇଥିବା ବେଳେ ଏ ନେଇ ଶ୍ରୀ ଆଚାର୍ଯ୍ୟ ମଧୁପାଟଣା ଥାନରେ ଏତଲା ଦେଇଥିଲେ। ରବିବାର ଯୋଗୁଁ ଜାଇକା କାର୍ଯ୍ୟାଳୟ ବନ୍ଦ ରହୁଥିବାବେଳେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।