ସାତ ବର୍ଷ ପରେ ବି ସୈତାନଙ୍କୁ ମିଳୁନି ସଜ୍ଜା ! ୧୬ ଡିସେମ୍ବର ୨୦୧୨ରୁ ୩୧ ଜାନୁୟାରୀ ୨୦୨୦, ଜାଣନ୍ତୁ ନିର୍ଭୟାକାଣ୍ଡର ପୂରା କାହାଣୀ ।

327

କନକ ବ୍ୟୁରୋ : ତାରିଖ ପରେ ତାରିଖ ବଦଳୁଛି, ନ୍ୟାୟ ପାଇଁ ବର୍ଷ ବର୍ଷ ଗଡିଚାଲିଛି । ୧୬ ଡିସେମ୍ବର ୨୦୧୨ରୁ ୩୧ ଜାନୁଆରୀ ୨୦୨୦ । ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ୭ ବର୍ଷ ବିତିସାରିଲାଣି । ହେେଲେ ଏବେବି ନ୍ୟାୟ ପାଇଁ କେବଳ ଅପେକ୍ଷା ହିଁ କରିବାକୁ ପଡୁଛି । ଆଜି ବି ସେଦିନର ସେହି କରୁଣ କାହାଣୀ ମନେ ପଡିଲେ ଲୋମଟାଙ୍କୁରି ଉଠୁଛି ।

ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ଇତିମଧ୍ୟରେ ୭ ବର୍ଷ ପୂରିସାରିଛି । ୭ ବର୍ଷ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ପୂରା ଦେଶକୁ ଦୋହଲାଇ ଦେଇଥିଲା ।  ଯୌନରାକ୍ଷସଙ୍କ ଠାରୁ ରକ୍ଷା ପାଇବା ପାଇଁ ଚଳନ୍ତା ବସରେ ଚିତ୍କାର କରିଚାଲିଥିଲା ନିର୍ଭୟା । କିନ୍ତୁ କୋଳାହଳମୟ ସହରରେ କାହା କାନରେ ପଡିନଥିଲା ନିର୍ଭୟାର ସ୍ୱର । ଯୌନରାକ୍ଷସଙ୍କ କବଳରୁ ବଞ୍ଚିବାକୁ ନିର୍ଭୟାର ବୁକୁଫଟା ଚିତ୍କାର ସମସ୍ତଙ୍କ ସାମ୍ନାକୁ ଆସିବା ଆଗରୁ ଶେଷରେ ସବୁଦିନ ପାଇଁ ନିରବି ଯାଇଥିଲା ।

୨୦୧୨ ଡିସେମ୍ବର ୧୬ । ଦିଲ୍ଲୀର ଜଣେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ସହ ଶାରୀରିକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିଲା । ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ବଳାତ୍କାର କରିଥିଲେ ୬ଜଣ ନରରାକ୍ଷସ । ଦୁଷ୍କର୍ମ କରିବା ପରେ ମନ ବୁଝିଲାନି ଯେ, ଯୁବତୀଙ୍କ  ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତି କରି ନିଜ ରାକ୍ଷସ ପଣିଆର ପରିଚୟ ଦେଇଥିଲେ । ଚଳନ୍ତା ବସରେ ଚିତ୍କାର କରି ଚାଲିଥିଲେ ମଧ୍ୟ ଯୌନରାକ୍ଷସଙ୍କ ଚକ୍ରବ୍ୟୁହରୁ ଖସିପାରିନଥିଲେ । ସେଇ କିଛି ଘଣ୍ଟା ମଧ୍ୟରେ ନିର୍ଭୟାର ସ୍ୱରକୁ ସବୁଦିନ ପାଇଁ ଚାପି ଦେବାକୁ ଚେଷ୍ଟା କରିଥିଲେ ନରପିଶାଚ ।

ଘଟଣାର ୧୩ ଦିନ ପରେ ସିଙ୍ଗାପୁରରେ ଆଖି ବୁଜିଥିଲେ ପୀଡିତା । ଏଭଳି ଘୃଣିତ ଘଟଣାକୁ ନେଇ ସାରା ଦେଶରେ ହେଲା ତମ୍ବିତୋଫାନ । ଦେଶରେ ନାରୀ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସଡକ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଥିଲା ଗୋଟିଏ ଦାବି ନିର୍ଭୟାକୁ ନ୍ୟାୟ ଦରକାର । ତେବେ ଏସବୁ ଭିତରେ ନିର୍ଭୟା ଗଣଦୁଷ୍କର୍ମର ୬ ନରପିଶାଚଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଘଟଣାରେ ୬ ଅଭିଯୁକ୍ତ ରାମ ସିଂହ, ମୁକେଶ ସିଂହ, ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ଜୁବେନାଇଲ୍ ମହମ୍ମଦ ଆଫ୍ରୋଜକୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବାକୁ ସାରା ଦେଶରେ ନାରା ଦିଆଗଲା ।

ଘଟଣାରେ ସଂପୃକ୍ତ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଥିଲେ ବସର ଡ୍ରାଇଭର ରାମ ସିଂହ । ୨୦୧୩ ମାର୍ଚ୍ଚରେ ତିହାର ଜେଲରେ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ ରାମ ସିଂ । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ସୁଧାରଗୃହରେ ୩ବର୍ଷ ରଖିବା ପରେ ଛାଡିଦିଆଯାଇଥିଲା ।

୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ କରିଥିବାବେଳେ ଏହାକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଶେଷରେ ମେ ୫, ୨୦୧୭ରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଏହା ଭିତରେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ଭୟା ଦୋଷୀଙ୍କୁ ଏଯାଏଁ ଫାଶୀ ଦିଆଯାଇନାହିଁ । ତେବେ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ବାଟ ଫିଟିଥିଲା । ଆଉ ଏଥିପାଇଁ ତିହାର ଜେଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଫାଶୀ ଦଉଡି ଯୋଗାଇଦେବା ପାଇଁ ବିହାରର ବକ୍ସର ଜେଲ ପ୍ରଶାସନକୁ କୁହାଯାଇଥିବା ବେଳେ ଜହ୍ଲାଦ ଖୋଜା ଅଭିଯାନ ଏକପ୍ରକାର ଶେଷ ହୋଇଥିଲା ।  ଅପେକ୍ଷା ଥିଲା କେବେ ନିପାତ ହେବେ ଏହି ନରରାକ୍ଷସ ।

ଗତ ଜାନୁଆରୀ ମାସ ୭ ତାରିଖରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଜାନୁଆରୀ ୨୨ ତାରିଖରେ ଏହି ୪ ନରରାକ୍ଷସଙ୍କୁ ଫାଶୀ ଦେବା ପାଇଁ ସ୍ଥିର କରାଗଲା । ହେଲେ ରାଜକ୍ଷମା ଆବେଦନ ଏବଂ କ୍ୟୁରେସନ୍ ପିଟିସନ୍ ଦାୟର ପରେ ଫାଶୀ ତାରିଖକୁ ଫେବୃଆରୀ ମାସ ୧ ତାରିଖକୁ ଘୁଞ୍ଚାଇ ଦିଆଗଲା । ସୈତାନଙ୍କ ଫାଶୀକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ଜାନୁଆରୀ ୩୧ ତାରିଖ ଅର୍ଥାତ ଫାଶୀ ହେବାର ଗୋଟିଏ ଦିନ ପୂର୍ବରୁ ପୁଣି ଥରେ ତାରିଖ ଘୁଞ୍ଚାଇଲେ କୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆଉ ଏହାରି ଭିତରେ ଅପେକ୍ଷା, କେବେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ନରରାକ୍ଷସ । ଆଉ କେବେ ମିଳିବ ନିର୍ଭୟାଙ୍କୁ ନ୍ୟାୟ ।