ବିଜେପୁର ଉପନିର୍ବାଚନରେ ପ୍ରଥମ ଥର ପାଇଁ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ ମେସିନ : ଭୋଟ ଦେଇ ଦେଖିପାରିବେ ଚିଠା

16

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ବିଜେପୁର ଉପନିର୍ବାଚନରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରାଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଡି. ଏନ୍. ଗୁପ୍ତା । ବିଜେପୁରରେ ୨୭୦ଟି ବୁଥ୍ ରହିଥିବା ବେଳେ ୨୭୦ଟି ଇଭିଏମ୍ ସହ ସମାନ ସଂଖ୍ୟକ ଭିଭିପାଟ୍ ମେସିନ୍ ଲାଗିବ । ଏହାଦ୍ୱାରା ବହୁଦିନ ଧରି ଅଭିଯୋଗ ହୋଇଆସୁଥିବା ଇଭିଏମ୍ ଟାମ୍ପରିଂରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ବ୍ୟବହାର ହେବାକୁ ଯାଉଛି ଇଭିଏମ୍ ସହ ଭିଭିପାଟ୍ ବା ଭୋଟର ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍ ମେସିନ୍ । ବିଜେପୁର ଉପନିର୍ବାଚନରେ ଏହି ପେପର୍ ଟ୍ରେଲ୍ ମେସିନ୍ ବ୍ୟବହାର କରାଯିବ । ଇଭିଏମ୍ ଟାମ୍ପରିଂ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ମେସିନ୍ ବ୍ୟବହାର ହେବାକୁ ଯାଉଛି । ଭୋଟର୍ ଭୋଟ୍ ଦେବା ପରେ ସେ କାହାକୁ ଭୋଟ୍ ଦେଇଛନ୍ତି, ତାହା ଏହି ପେପର ଟ୍ରେଲ୍ ଦେଖାଇ ଦେବ ।

ଆସନ୍ତୁ ଜାଣିବା ଏହି ଭିଭିପାଟ୍ କେମିତି କାମ କରିଥାଏ-
ଇଭିଏମ୍ ସହ ଲାଗି କରି ଆସିବ ଭିଭିପାଟ୍- ଭୋଟର ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍ ମେସିନ୍ । ଜଣେ ଭୋଟର ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ, କେବଳ ସେହି ଭୋଟର ଭିଭିପାଟ୍ ଡିସ୍ପ୍ଲେ ବୋର୍ଡରେ ୭ ସେକେଣ୍ଡ ପାଇଁ କାହାକୁ ଭୋଟ୍ ଦେଇଛନ୍ତି ତାହା ଦେଖିପାରିବେ । ତା’ ପରେ ଛପା ପେପର୍ ସ୍ଲିପ୍ ବା ଚିରକୁଟଟି ଭିଭିପାଟ୍ ମେସିନର ଡ୍ରପ୍ ବକ୍ସରେ ପଡ଼ିଯିବ । ତା’ ପରେ ନିର୍ବାଚନରେ ସଂପୃକ୍ତ ଅଧିକାରୀମାନେ ସମସ୍ତ୍ ପକ୍ଷଙ୍କ ଉପସ୍ଥିତିରେ ଏହାକୁ ସିଲ୍ କରି ଭୋଟ୍ ଗଣତି କେନ୍ଦ୍ରକୁ ପଠାଇବେ । କୌଣସି ସନ୍ଦେହ ସୃଷ୍ଟି ହେଲେ ପେପର୍ ସ୍ଲିପ୍ ଗୁଡ଼ିକୁ ଗଣାଯାଇପାରିବ ।

ସାରା ଦେଶରେ ଅନେକ ଦଳ ଇଭିଏମ୍ ଟାମ୍ପରିଂ ନେଇ ଅଭିଯୋଗ ଆଣିବା ପରେ ସୁପ୍ରିମକୋର୍ଟ ଭିଭିପାଟ୍ ସପକ୍ଷରେ ରାୟ ଦେଇଥିଲେ । ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆସନ୍ତା ବର୍ଷ ସେପ୍ଟେମ୍ବର ମାସ ପୂର୍ବରୁ ୪୦ ଲକ୍ଷ ଭିଭିିପାଟ୍ ମେସିନ୍ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଯିବ ବୋଲି ନିକଟରେ ନିର୍ବାଚନ କମିଶନର ଓ. ପି. ରାୱତ୍ କହିଛନ୍ତି ।