ବିହାର ମୁଜାଫରପୁର ବାଳିକା ସୁଧାର ଗୃହରେ ନିର୍ଯାତନା ମାମଲା : ଇସ୍ତଫା ଦେଲେ ବିହାର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା

36

କନକ ବ୍ୟୁରୋ : ମୁଜାଫରପୁର ବାଳିକା ଗୃହ ଦୁଷ୍କର୍ମ କାଣ୍ଡକୁ ନେଇ ବିରୋଧୀଙ୍କ ଚାପରେ ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଂଜୁ ବର୍ମା ଇସ୍ତଫା ଦେଇଛନ୍ତି । ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି । ମୁଜାଫରପୁର ବାଳିକା ଗୃହ ଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବ୍ରଜେଶ ଠାକୁରଙ୍କ ସହ ମଂଜୁ ବର୍ମାଙ୍କ ସ୍ୱାମୀଙ୍କ ସଂପର୍କ ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ତେଣୁ ମଂଜୁ ବର୍ମା ଇସ୍ତଫା ଦେଇଥିବା କୁହାଯାଉଛି ।

ବିହାର ମୁଜାଫରପୁର ବାଳିକା ସୁଧାର ଗୃହ କାଣ୍ଡର ମାଷ୍ଟରମାଇଣ୍ଡ ବ୍ରଜେଶ୍ ଠାକୁର । ଗତକାଲି ତାଙ୍କୁ କୋର୍ଟରେ ହାଜର ପାଇଁ ପୋଲିସ ନେବାବେଳେ ଜଣେ ମହିଳା ତାଙ୍କ ଉପରକୁ ସ୍ୟାହି ଫିଙ୍ଗିଥିଲେ । ଏହା ସହିତ ତାଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଥିଲେ । ସେପଟେ ଗଣମାଧ୍ୟମ ସାମନାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ ଅଭିଯୁକ୍ତ ବ୍ରଜେଶ । ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଇଥିବା ସେ କହିଥିଲେ । ବ୍ରଜେଶଙ୍କ ସହ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀଙ୍କ ସମ୍ପର୍କ ଥିବା ଅଭିଯୋଗ ନେଇ ବିବାଦ ଦେଖାଦେଇଥିଲା । ମୁଜାଫରପୁର ବାଳିକା ସୁଧାର ଗୃହ ଦୁଷ୍କର୍ମ ମାମଲାରେ ବିହାରରେ ନୀତିଶ ସରକାରଙ୍କୁ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହି ଘଟଣାର ତଦନ୍ତ ହାଇକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ କରୁଛି । ଏହି ସୁଧାର ଗୃହରେ ୨୯ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ସହ ଜଣକୁ ମାରି ପୋତିଦେଇଥିବା ଅଭିଯୋଗ ରହିଛି ।