ସୁଷମାଙ୍କ ଶେଷ କୃତ୍ୟ ବେଳେ କାନ୍ଦି ପକାଇଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । କହିଲେ, ଏଥର ରାକ୍ଷୀ ପୂର୍ଣ୍ଣିମାରେ କିଏ ବାନ୍ଧିବ ରାକ୍ଷୀ?

866

କନକ ବ୍ୟୁରୋ : ଏଥର ରାକ୍ଷୀ ପୂର୍ଣ୍ଣିମାରେ ଖାଲି ରହିବ ଭାଇ ଭେଙ୍କିୟାଙ୍କ ହାତ । ସବୁ ବର୍ଷ ଭଳି ଏଥର ଆଉ ରାକ୍ଷୀ ବାନ୍ଧିବାକୁ ଆସିବେନି ଭଉଣୀ ସୁଷମା । କାରଣ ରାକ୍ଷୀପୂର୍ଣ୍ଣିମାର କିଛି ଦିନ ପୂର୍ବରୁ ଅଫେରା ଦୁନିଆର ଅତିଥି ସାଜିଛନ୍ତି ଭଉଣୀ ସୁଷମା । ଗତକାଲି ରାତିରେ ହୃଦଘାତରେ ସୁଷମାଙ୍କ ଦେହାନ୍ତ ପରେ ସବୁଠୁ ଯଦି କେହି ଅଧିକ ଦୁଃଖୀ ହୋଇଥାନ୍ତି ତେବେ ସେ ହେଉଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

ସୁଷମାଙ୍କ ଦେହାନ୍ତ ପରେ ଶେଷ ଦର୍ଶନ ପାଇଁ ଆସିଥିଲେ ଭେଙ୍କିୟା ନାଇଡୁ । କିନ୍ତୁ ସୁଷମାଙ୍କ ମରଶରୀର ଦେଖି ନିଜକୁ ସମ୍ଭାଳିପାରିନଥିଲେ ଭେଙ୍କିୟା । ସୁଷମାଙ୍କ ପାର୍ଥିବ ଶରୀରକୁ ଦେଖି ଭାଙ୍ଗିପଡିଥିବା ବେଳେ ଆଖିରୁ ଲୁହ ଧାର ଝରି ପଡିଥିଲା । ଏହାପରେ ଯେତେବେଳେ ଲୋଧି ରୋଡସ୍ଥିତି ଶବଦାହ ଗୃହରେ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା ସେତେବେଳେ ମଧ୍ୟ ନିଜ ଆଖିର ଲୁହକୁ ଅଟକାଇ ପାରିନଥିଲେ ଭେଙ୍କିୟା । କାରଣ ସୁଷମା ତାଙ୍କ ପାଇଁ ବିଜେପି ନେତ୍ରୀ କମ ସାନ ଭଉଣୀ ଅଧିକ ଥିଲେ । ଆଉ ଏହି ବନ୍ଧନକୁ ଅତୁଟ ରଖିବା ପାଇଁ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ସୁଷମାଙ୍କ ହାତରୁ ରାକ୍ଷୀ ବାନ୍ଧୁଥିଲେ ଭେଙ୍କିୟା ।

କିନ୍ତୁ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ସୁଷମା ବେଶ ମନେ ପଡିବେ ବୋଲି କହିଛନ୍ତି ଭେଙ୍କିୟା । ସୁଷମାଙ୍କ ଆନ୍ନା ଡାକ ଆଉ ଶୁଣିବାକୁ ମିଳିବନି କହିଛନ୍ତି ଭାଇ ଭେଙ୍କିୟା । ଏହାଛଡା ପ୍ରତିବର୍ଷ ସୁଷମା ରାକ୍ଷୀ ବାନ୍ଧୁଥିବା ବେଳେ ଏବେ ଆଉ ସେ ସୌଭାଗ୍ୟ ମିଳିବ ନାହିଁ । ଏପରିକି ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ହାତ ଖାଲି ରହିବ ବୋଲି କହିଛନ୍ତି ଭେଙ୍କିୟା । ଏହାସହ ସୁଷମାଙ୍କୁ ମନେପକାଇ ଭେଙ୍କିୟା କହିଛନ୍ତି, ଗୋଟିଏ ଥର ରାକ୍ଷୀପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବାକୁ ସୁଷମାଙ୍କ ଘରକୁ ଯିବାକୁ କହିବାରୁ ସେ ସିଧା ଫୋନରେ ମନା କରିଥିଲେ । ଦେଶର ଉପରାଷ୍ଟ୍ରପତି ମୋ ଘରକୁ କାହିଁକି ଆସିବେ ବରଂ ମୁଁ ତାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିଦେବି ବୋଲି କହିଥିଲେ ସୁଷମା । କିନ୍ତୁ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଆଉ ସେ ସୌଭାଗ୍ୟ ମିଳିବନି ବୋଲି କହିଛନ୍ତି ଭେଙ୍କିୟା । ଆଉ ଏହା ହିଁ ଦର୍ଶାଉଛି ଯେ ଭାଇ-ଭଉଣୀଙ୍କ ମଧ୍ୟରେ କିଭଳି ଘନିଷ୍ଠ ସର୍ମ୍ପକ ରହିଥିଲା ।