ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ । ଆଇନ ବିଶାରଦଙ୍କ ପରାମର୍ଶ ଆଧାରରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ।

40

କନକ ବ୍ୟୁରୋ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଅଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଇଛି । ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଉପରାଷ୍ଟପତି ଏହାକୁ ଖାରଜ କରିଦେଇଛନ୍ତି । ପ୍ରସ୍ତାବ ଖାରଜ ହେଲେ ସୁପ୍ରିମକୋର୍ଟ ଯିବାକୁ କଂଗ୍ରେସ ଧମକ ଦେଇଥିବାରୁ, ଏବେ ଦଳର ଅଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ମାମଲାର ଗମ୍ଭୀରତାକୁ ଦେଖି ଭେଙ୍କୟା ତାଙ୍କର ହାଇଦ୍ରାବାଦ ଗସ୍ତ ବାତିଲ କରି ଗତକାଲି ଦିଲ୍ଲୀ ଫେରିଆସିଥିଲେ । ଏବାବଦରେ ସେ ବିଭିନ୍ନ ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଗତକାଲି ଆଲୋଚନା ବି କରିଥିଲେ । ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ, ପୂର୍ବତନ ଆଇନ ସଚିବ ପି.କେ ମାଲହୋତ୍ରା ଏବଂ ପୂର୍ବତନ ସଂସଦୀୟ ସଚିବ ସଞ୍ଜୟ ସିଂହଙ୍କ ସହ ସେ ବିଚାର ବିମର୍ଷ କରିଥିଲେ ।

cji

ଗତ ୨୦ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ନୋଟିସ୍ ରାଜ୍ୟସଭା ଅଧକ୍ଷଙ୍କୁ ପ୍ରଦାନ କରିଥିଲେ । ପ୍ରଧାନ ବିଚାରପତି ପଦର ଦୂରୁପଯୋଗ ଅଭିଯୋଗରେ ଏହି ପ୍ରସ୍ତାବ ଅଣାଯାଇଥିଲା । ନ୍ୟାୟ ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ ସୁପ୍ରିମକୋର୍ଟଙ୍କ ଉପରେ ପ୍ରଶ୍ନ ଉଠାଇ ଦେଶର ୭ଟି ରାଜନୈତିକ ଦଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପଦରୁ ହଟାଇବାକୁ ଏକାଠି ହୋଇଥିଲେ । କଂଗ୍ରେସ ନେତୃତ୍ୱରେ ୭ଟି ବିରୋଧୀ ଦଳର ୬୪ ଜଣ ସାଂସଦ ଏହି ନୋଟିସରେ ସ୍ୱାକ୍ଷର କରିଥିଲେ । କଂଗ୍ରେସ, ଏନସିପି, ସିପିଆଇ, ସିପିଏମ୍, ଏସପି, ବିଏସପି ଆଦି ୭ଟି ଦଳର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ଦେଇଥିଲେ ନୋଟିସ୍ । ମହାଅଭିଯୋଗ ପ୍ରସ୍ତାବ ଦେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ ଦୀପକ ମିଶ୍ରଙ୍କୁ ହଟାଇବାକୁ ପାଇଁ ଦାବି କରିଛନ୍ତି ।


ମହାଅଭିଯୋଗ ପ୍ରସ୍ତାବ ଲାଗି ଲୋକସଭାରେ ସର୍ବନିମ୍ନ ୧୦୦ ସାଂସଦ ଓ ରାଜ୍ୟସଭାରେ ୫୦ ଜଣ ସାଂସଦ ଆବଶ୍ୟକ । ରାଜ୍ୟସଭାର ୬୪ ଜଣ ସାଂସଦ ଏହି ପ୍ରସ୍ତାବ ପାଇଁ ନୋଟିସ ଦେଇଥିଲେ । ଆଉ ଏହାପରେ ଆଇନ ବିଶାରଦଙ୍କ ସହ ଆଲୋଚନା ପରେ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।