ଇଭିଏମ ସଂଯୋଗରେ ଭୁଲ, ବଡମ୍ବାରେ ସ୍ଥଗିତ ହେଲା ନିର୍ବାଚନ । ସାନି ନିର୍ବାଚନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କରାଯିବ ସୁପାରିଶ

387

କନକ ବ୍ୟୁରୋ : ଇଭିଏମ ସଂଯୋଗରେ ଭୁଲ, ଭୋଟ ବନ୍ଦ । ବଡମ୍ବା ବିଧାନସଭା ଆସନର ଗୋଟିଏ ବୁଥରେ ନିର୍ବାଚନ ସ୍ଥଗିତ କରାଯାଇଛି । ୧୯୬ ନମ୍ବର ବୁଥରେ ନିର୍ବାଚନକୁ ସ୍ଥଗିତ କରଯାଇଛି । ଭିଭିପାଟରେ ପରିଚାଳନାଗତ ସମସ୍ୟା ପାଇଁ ନିର୍ବାଚନକୁ ସ୍ଥଗିତ କରାଯାଇଛି । ଏହି ବୁଥରେ ସାନି ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁପାରିଶ କରାଯିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ବିଧାନସଭା ପାଇଁ ଥିବା ଭିଭିପାଟ ମେସିନ ଲୋକସଭା ଇଭିଏମ ସହ ସଂଯୋଗ କରାଯାଇଥିବାରୁ ଏହି ବୁଥରେ ନିର୍ବାଚନକୁ ସ୍ଥଗିତ କରାଯାଇଛି ।

ଏହାପୂର୍ବରୁ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବିଭିନ୍ନ ଅଞ୍ଚଳରୁ ବ୍ୟାପକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିଲା । ମତଦାନ ଆରମ୍ଭରୁ ହିଁ ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ଦେଖାଯାଇଛି । ଯାହା ଫଳରେ ମତାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି । ଏଥି ସହିତ ଭୋଟ୍ ଦେବାକୁ ବହୁ ଦୂରରୁ ଧାଇଁ ଆସିଥିବା ମତଦାତା ଭୋଟ୍ ଦେଇ ନପାରିବାରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।

ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା, ଏହାପରେ ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ । କିନ୍ତୁ ବ୍ୟବସ୍ଥାରେ କୌଣସି ସୁଧାର ନଆସିଥିବା ଆଜିର ନିର୍ବାଚନରେ ତାହା ଜଳ ଜଳ ହୋଇ ଦେଖାଯାଉଛି । କାରଣ କେବଳ ଗୋଟିଏ ଲୋକସଭା କ୍ଷେତ୍ରରୁ ହିଁ ଶହେରୁ ଅଧିକ ଇଭିଏମ ମେସିନ ଅଚଳ ହୋଇପଡିଛି । କେନ୍ଦୁଝର ଜିଲ୍ଲାରେ ପାଖାପାଖି ଶହେରୁ ଅଧିକ ମତଦାନ କେନ୍ଦ୍ରରେ କାମ କରୁନାହିଁ ଇଭିଏମ୍ । ଫଳରେ ଭୋଟ୍ ଦେବା ପାଇଁ ଦୀର୍ଘ ସମୟ ଧରି ଧାଡିରେ ଠିଆ ହୋଇଥିବା ମତଦାତାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

ଘଷିପୁରାରେ ୧୮ ଏବଂ ଆନନ୍ଦପୁରର ୨୨ଟି ବୁଥରେ ଇଭିଏମରେ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଛି । ସେହିଭଳି ପାଟଣାରେ ୨୦ରୁ ଅଧିକ, ଚମ୍ପୁଆରେ ୨୦ଟି, ତେଲକୋଇରେ ୧୮ରୁ ଅଧିକ ଏବଂ କେନ୍ଦୁଝର ସଦରେ ୨୫ରୁ ଅଧିକ ବୁଥରେ ଇଭିଏମ ମେସନ ପୂରାପୁରି ଅଚଳ ହୋଇପଡିଛି । ଯାହା ଫଳରେ ମତଦାନରେ ବିଳମ୍ବ ଦେଖାଦେଇଛି ।

ଖାଲି କେନ୍ଦୁଝରରେ ନୁହେଁ ଅନ୍ୟ ଜାଗାରୁ ମଧ୍ୟ ସମାନ ଖବର ସାମନାକୁ ଆସିଛି । ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫୪ ନମ୍ବର ବୁଥରେ ଇଭିଏମରେ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଚନା ମିଳିଛି ।କୁଚିଣ୍ଡାର ୫ଟି ବୁଥରେ ଅଚଳ ହୋଇପଡିଛି ଇଭିଏମ ମେସିନ । ବୁଥ ନମ୍ବର ୧୨୨, ୧୨୧, ୧୩୫,୧୩୮ ଏବଂ ୧୪୫ ନମ୍ବର ବୁଥରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପଡିପାରୁନି ଭୋଟ୍ । ସେହିଭଳି କାମାକ୍ଷାନଗରର ୧୯ ନମ୍ବର ବୁଥରେ ଇଭିଏମ ଅଚଳ ହୋଇପଡିଛି । ସମ୍ବଲପୁରର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଲିର ବୁଥ୍‌ ନମ୍ବର ୩୮ରେ ଲୋକସଭା ଭିଭିପାଟ କାମ କରୁ ନ ଥିବାରୁ ଲୋକେ ଭୋଟ୍‌ ଦେବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଝଙ୍କରପାଲିର ବୁଥ୍‌ ନମ୍ବର ୩୬ ଓ ୩୭ରେ ଇଭିଏମ୍‌ କାମ କରୁ ନ ଥିବାରୁ ପୋଲିଙ୍ଗ୍‌ ପାର୍ଟି ଚିନ୍ତିତ ହୋଇ ପଡ଼ିଛନ୍ତି।