ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଭୋଟିଂ ଆରମ୍ଭ : ୫୦ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ କିଏ ଗଢିବ ସରକାର

35

କନକ ବ୍ୟୁରୋ : ଆଜି ହିମାଚଳ ପ୍ରଦେଶର ବିଧାନସଭା ପାଇଁ ଭୋଟିଂ ଆରମ୍ଭ ହୋଇଛି । ସମସ୍ତ ୬୮ଟି ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ମତଦାନ ଚାଲିଛି । ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ଲକ୍ଷ ୩୧ ହଜାର ପୁରୁଷ ଓ ୨୪ ଳକ୍ଷ ୫୭ ହଜାର ମହିଳା ଭୋଟର । ରାଜ୍ୟରେ ମୋଟରେ ୭୫୨୧ଟି ବୁଥରେ ଭୋଟଗ୍ରହଣ ହେଉଛି ।ପ୍ରଥମ ଥର ପାଇଁ ସମସ୍ତ ବୁଥରେ ଭିଭିପାଟ ମେସିନ ଜରିଆରେ ଭୋଟ ଗ୍ରହଣ ହେବ । ତେବେ ୯୮୩ଟି ବୁଥକୁ ଉତେଜନା ପ୍ରବଣ ବୋଲି ଘୋଷଣା କରିଛନ୍ତି ସରକାର । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୂମଲ ସୁଜାନପୁରରୁ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ ଅକ୍ରିରୁ ନିର୍ବାଚନ ଲଢ଼ୁଛନ୍ତି । ୨୦୧୨ ନିର୍ବାଚନରେ କଂଗ୍ରେସ ୩୬ଟି ଆସନରେ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସରକାର ଗଢ଼ିଥିଲା । ବିଜେପି ୨୭ ଆସନରେ ବିଜୟୀ ହୋଇ ବିରୋଧୀ ଦଳ ଭୂମିକା ନିର୍ବାହ କରିଥିଲା ।

ହିମାଚଳ ପ୍ରଦେଶରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ରହିଛି । ଏଠାରେ ସବୁଥର ଭଳି ଏଥର ମଧ୍ୟ କଂଗ୍ରେସ-ବିଜେପି ମଧ୍ୟରେ ସିଧା ଟକ୍କର ହେଉଛି । କଂଗ୍ରେସ ବର୍ତମାନର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବାବେଳେ  ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି  ପ୍ରେମ କୁମାର ଧୁମଲ । ମୋଟ ୬୮ଟି ଆସନରେ ୧୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ ୩୩୭ ଜଣ ପ୍ରାର୍ଥୀଙ୍କ ଭାଗ ନିର୍ଧାରଣ କରିବେ ୫୦ ଲକ୍ଷ ୨୫ ହଜାର ୯୪୧ରୁ ଅଧିକ ଭୋଟର । ଡିସେମ୍ବର ୧୮ରେ ଭୋଟଗଣତି ହେବ । ବିଜେପି ବୀରଭଦ୍ର ସିଂଙ୍କ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ  ବିମୁଦ୍ରାୟନ ଓ ଜିଏସଟିକୁ ପ୍ରସଙ୍ଗ କରିଥିଲା । ମୋଦି, ଅମିତ ଶାହ ଓ ରାହୁଲ ଗାନ୍ଧି ହିମାଚଳ ପାଇଁ ମାରାଥନ ପ୍ରଚାର କରିଥିଲେ ।