ପ୍ରଭାବ ପକାଇଲାନି ନକ୍ସଲଙ୍କ ଧମକ ! ବିନା ଭୟରେ ଭୋଟ ଦେଲେ ବିଚ୍ଛିନ୍ନାଞ୍ଚଳବାସୀ

51

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ ଆଖପାଖ ଅଂଚଳ ନକ୍ସଲଙ୍କ ଗଡ଼ ରୂପେ ଜଣାଶୁଣା । ତେଣୁ ଏହି ଗଡ଼କୁ ହାତରୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିବା ନକ୍ସଲ ଏଥର ନିର୍ବାଚନକୁ ବର୍ଜନ ପାଇଁ ଆହ୍ବାନ ଦେଇ ପରୋକ୍ଷରେ ଭୋଟରଙ୍କୁ ଧମକ ଦେଇଥିଲେ । କାଁଭାଁ ଅଞ୍ଚଳକୁ ଛାଡ଼ିଥିଲେ ନକ୍ସଲଙ୍କ ଏହି ଧମକ ଚିତ୍ରକୋଣ୍ଡା ସହ ଆଖପାଖ ଅଞ୍ଚଳରେ ବିଶେଷ ପ୍ରଭାବ ପକାଇ ନଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳରେ ଥିବା ବଦଳୀବନ୍ଧା, ଦୁଧପାଲୀ, ବିଡାଇପାକନା, ଯନ୍ତାପାଇ, ଡଲିଆମ୍ବ, ଭୀମାରାମ, ବଡପା ଭଳି ମାଓପ୍ରବଣ ଅଂଚଳରେ ଭୋଟ ଗ୍ରହଣ ହୋଇଥିବା ଦେଖିବାକୁ ମିଳିଥିଲା । ଯନ୍ତାପାଇ ଠାରେ ୧୭ଟି ଗ୍ରାମର ଭୋଟରଙ୍କ ପାଇଁ ୬ଟି ବୁଥ୍‌ କରାଯାଇଥିଲା । ଏହି ବୁଥ ଗୁଡିକରେ ଲୋକେ ଅତି ଉତ୍ସାହର ସହ ନିଜ ଅଧିକାରକୁ ସାବ୍ୟସ୍ତ କରିଥିଲେ । ସେହିପରି ବଡ଼ପଡ଼ା ଠାରେ ମଧ୍ୟ କରାଯାଇଥିବା ତିନୋଟି ବୁଥରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ପ୍ରଥମ ଥର ପାଇଁ ବିନା ଭୟରେ ଭୋଟ ଦେବାକୁ ଆସିଥିଲେ । ତେବେ ମାଓବାଦୀଙ୍କ ସର୍ବାଧିକ ପ୍ରଭାବ ଥିବା ଯଡାମ୍ବ, ପଣସପୁଟ, ସନ୍ନ୍ୟାସୀଗୁଡା, ଯନ୍ତ୍ରୀ, ଅଣ୍ଡ୍ରାପାଲୀ, କୁନ୍ତରପଦର ବୁଥରେ ଲୋକେ ଭୋଟ ଦେବାକୁ ଆସିନଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଚିତ୍ରକୋଣ୍ଡାରେ ଇଭିଏମ ମେସିନ ବାରମ୍ବାର ଖରାପ ହେବା ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଚିତ୍ରକୋଣ୍ଡାର ୨୧୧, ୨୧୨ ଓ ୨୧୩ ବୁଥରେ ବାରମ୍ବାର ଇଭିଏମ ମେସିନ ଖରାପ ହେବାରୁ ଗଣ୍ଡଗୋଳ ହୋଇଥିବା ବେଳେ ଲୋକେ ଭୋଟ ନଦେଇ ଘରକୁ ଫେରିଯାଇଥିଲେ । ତେବେ ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ଚିତ୍ରକୋଣ୍ଡାର ଅଧିକାଂଶ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି ।