ନେତା ବାଛିଲେ ଜନତା, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ! ୨୮ରେ ଖୋଲିବ କୁହୁକ ପେଡି, ଜଣାପଡିବ କିଏ ବନିବ ବିଜେପୁରର ବାଜିଗର

26

କନକ ବ୍ୟୁରୋ : ବିଧାୟକ ବାଛିଲା ବିଜେପୁର । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ୪ ଦିନ ପରେ ୨୮ ତାରିଖରେ ଜଣାପଡିବ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳୁଛି । ସବୁଠାରୁ ବଡ କଥା ହେଉଛି, ହିଂସାକାଣ୍ଡ ଓ ରାଜନୈତିକ ଛକାପଂଝା ଭିତରେ ଆଜି ଶାନ୍ତିଶୃଙ୍ଖଳାରେ ମତଦାନ ହୋଇଛି । ମୋଟ ୭୭ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଆଉ ନିଜ ପ୍ରିୟ ବିଧାୟକଙ୍କୁ ବାଛିବା ପାଇଁ ଦେଇଛନ୍ତି ଭୋଟ ।

ପ୍ରାୟ ମାସେ ଧରି ଚାଲିଥିବା ରାଜନୈତିକ ଛକାପଂଝା ଭିତରେ ଆଜି ମତ ସାବ୍ୟସ୍ତ କରିଛି ବିଜେପୁର । ସୁବଳ ସାହୁଙ୍କ ପରେ କିଏ ନେବ ବିଜେପୁରର ନେତୃତ୍ୱ, ସେ ନିଷ୍ପତି ନେଇଛନ୍ତି ଜନତା । ସକାଳୁ ସକାଳୁ ସମସ୍ତ ୨୮୧ ମତଦାନ କେନ୍ଦ୍ରରେ ପହଂଚି ଯାଇଥିଲେ ଭୋଟର୍ । ଆଉ ପ୍ରଶାସନ ପକ୍ଷରୁ ଏଥିପାଇଁ ହୋଇଥିବା ବ୍ୟାପକ ବ୍ୟବସ୍ଥା । ନିର୍ବାଚନ ପୂର୍ବରୁ ଦେଖା ଦେଇଥିବା ତିକ୍ତତା ଏବଂ ହିଂସାକୁ ଭୁଲି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରିଛନ୍ତି ଭୋଟର ।

ଇଭିଏମରେ ସିଲ୍ ହୋଇ ଯାଇଛି ପ୍ରାର୍ଥୀ ଭାଗ୍ୟ । ଆଉ ଉପ-ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ । ଆଉ ଭାଗ୍ୟ ପରୀକ୍ଷାର ଏହି ପ୍ରକ୍ରିୟାରେ ତିନି ପ୍ରମୁଖ ପ୍ରତିଦ୍ୱନ୍ଦି ବିଭିନ୍ନ ମତଦାନ କେନ୍ଦ୍ରରେ ପହଂଚି ମତଦାନ କରିଛନ୍ତି । ଆଉ ସମସ୍ତଙ୍କର ଗୋଟିଏ ଦାବି ବିଜେପୁର ତାଙ୍କର । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଜେପୁରରେ ସେମାନଙ୍କର ହିଁ ବିଜୟ ହେବ ।

ବିଜେପୁର, ବରପାଲି ଏବଂ ଗାଏସିଲଟ୍ ତିନିଟି ଯାକ ବ୍ଲକରେ ରେକର୍ଡ ସଂଖ୍ୟକ ମତଦାନହୋଇଛି । ବିପୁଳ ସଂଖ୍ୟାରେ ଭୋଟର ପହଂଚି ନେତା ବାଛିଛନ୍ତି ବିଜେପୁର ଜନତା ।କିଏ ବନିବ ବିଜେପୁରର ବାଜିଗର ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ? ସେ ନିଷ୍ପତି ନେଇ ସାରିଛନ୍ତି ଜନତା । ଆଉ ଆସନ୍ତା ୨୮ ତାରିଖରେ ଜଣାପଡ଼ିବ- ବିଜେପୁର କାହାର ?