ରାତି ପାହିଲେ ବିଜେପୁର ଭୋଟ ! ପୁଲିଂ ବୁଥ ଓ ଇଭିଏମ ପ୍ରସ୍ତୁତ, ସହରରେ ପଇଁତରା ମାରୁଛି ପୁଲିସ

36

କନକ ବ୍ୟୁରୋ : ରାତି ପାହିଲେ ଭୋଟ୍ ଦେବ ବିଜେପୁର । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ବୁଥରେ ପହଁଚି ସାରିଛି ଇଭିଏମ୍ ମେସିନ୍ ଓ ପୋଲିଂ ଟିମ୍ । ସୁରକ୍ଷା ନେଇ ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ । ବିଜେପୁରରେ ସିଆରପିଏଫ ଓ ବିଏସଏଫ ଯବାନ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ସେପଟେ ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ବିଜେଡ଼ି ପ୍ରତିନିଧି । ସେହିପରି ବିଜେପି ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଗୋଟିଏ ପଟେ ସୋହଲା ଗୁଳିକାଣ୍ଡ ପରେ ବିଜେପୁରବାସୀଙ୍କ ମନରେ ଆତଙ୍କ । ଅନ୍ୟପଟେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁରକ୍ଷା ବାହିନୀର ପଇଁତରା । ଉତେଜନା ପ୍ରବଣ ବୁଥରେ ସୁରକ୍ଷା ଯୋଗାଇବେ କମ୍ପାନୀ ବିଏସଏଫ ଏବଂ ସିଆରପିଏଫ ଯବାନ । ଆଜି ବିଜେପୁରରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି ସିଆରପିଏଫ ଓ ବିଏସଏଫର ଯବାନ । ବିଜେପୁର ଉପରେ ନଜର ରଖିଛି ୧୨ଟି ଫ୍ଲାଇଂ ସ୍କ୍ୱାଡ୍ । ୧୨ଟି ଚେକ୍ ପୋଷ୍ଟ ଗଠନ କରାଯାଇଛି । ବାହାର ଗାଡିକୁ ବିଜେପୁର ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।

ନିର୍ବାଚନ ପ୍ରସ୍ତୁତି ଓ ସୁରକ୍ଷା ସମୀକ୍ଷା କରିଛନ୍ତି ଉଭୟ ବରଗଡ଼ ଜିଲ୍ଲାପାଳ ଓ ଏସପି । ପୁଲିଂ ବୁଥ ଓ ଇଭିଏମ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ସକାଳ ୮ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ୨୮୧ଟି ବୁଥରେ ହେବ ଭୋଟଗ୍ରହଣ । ୧୫୫ଟି ସମ୍ବେଦନଶୀଳ ଓ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୫୦ରୁ ଅଧିକ ବୁଥରେ ଉପସ୍ଥିତ ରହିବେ ମାଜିଷ୍ଟ୍ରେଟ । ୪୦ଟି ମୋବାଇଲ ପାର୍ଟି ଭୋଟ ଗ୍ରହଣର ସମସ୍ତ ଘଟଣାକୁ ନିରୀକ୍ଷଣ କରିବେ । ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସର ଏକ କଂପାନୀ ଯବାନ ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । କୌଣସି ବ୍ୟକ୍ତି ବିଶୃଙ୍ଖଳା ନେଇ ସୂଚନା ଦେଲେ ତାଙ୍କୁ ୨ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ।

ଅନ୍ୟପଟେ ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି ବିଜେଡ଼ି ପ୍ରତିନିଧି ଦଳ । ବିଜେଡି ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ ଦାସ ବର୍ମା, ଦେବୀ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହିପରି ବିଜେପି ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।