ଶିକ୍ଷାଗତ ଯୋଗ୍ୟତା ନେଇ ଭୁଲ ତଥ୍ୟ ଦେଲେ ରଦ୍ଦ ହେବ ନିର୍ବାଚନ : ସୁପ୍ରିମକୋର୍ଟ

25

କନକ ବ୍ୟୁରୋ : ନିର୍ବାଚନ ଲଢ଼ୁଥିବା ଆଶାୟୀ ପ୍ରାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ । ଶିକ୍ଷାଗତ ଯୋଗ୍ୟତା ନେଇ ଭୁଲ ତଥ୍ୟ ଦେଲେ, ରଦ୍ଦ ହେବ ନିର୍ବାଚନ । ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆଜି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ସୁପ୍ରିମକୋର୍ଟ କହିଛନ୍ତି, ଆଶାୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ଭୋଟରଙ୍କ ମୌଳିକ ଅଧିକାର । ଏଥିରୁ ସେମାନଙ୍କୁ କେହି ବଂଚିତ କରିପାରିବେ ନାହିଁ । ପ୍ରାର୍ଥୀଙ୍କ ବିଷୟରେ ଭୋଟର ସତ୍ୟ ନଜାଣିଲେ ଭୋଟଦାନ ଅଧିକାରର କୌଣସି ମୂଲ୍ୟ ନାହିଁ । ନିର୍ବାଚନ ସମୟରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ କର୍ତ୍ତବ୍ୟ ସେମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ସଠିକ୍ ତଥ୍ୟ ପ୍ରଦାନ କରିବେ ।

ଜନପ୍ରତିନିଧି ଆଇନ ଫର୍ମ ନମ୍ବର ୨୬ରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମସ୍ତ ତଥ୍ୟ ସର୍ବସାଧାରଣରେ ଆସିବା ଜରୁରୀ । ଜଣେ ଭୋଟର କାହାକୁ ଭୋଟ୍ ଦେଉଛି ସେନେଇ ଜାଣିବାର ତାର ଅଧିକାର ରହିଛି । ଯାହାଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ ।

ମଣିପୁରର କଂଗ୍ରେସ ବିଧାୟକ ଏମ୍.ପୃଥିବୀରାଜଙ୍କ ବିରୋଧରେ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । ୨୦୧୨ ବିଧାନସଭା ନିର୍ବାଚନରେ ବିଶ୍ୱନାଥ ନିଜ ଶିକ୍ଷାଗତ ଯୋଗ୍ୟତାରେ ଏମବିଏ ଦର୍ଶାଇଥିଲେ । ପରବର୍ତୀ ସମୟରେ ତାହା ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା । ତେବେ ବିଧାୟକ ଜଣକ ଏହାକୁ କ୍ଲରିକାଲ୍ ଏରର୍ ବୋଲି କହିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି ।