ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାତିଅଧିଆ ଡ୍ରାମା : ବେଙ୍ଗାଲୁରୁ ଫ୍ଲାଟରୁ ମିଳିଲା ହଜାର ହଜାର ଭୋଟର ପରିଚୟପତ୍ର, କଂଗ୍ରେସ-ବିଜେପି ମୁହାଁମୁହିଁ

31

କନକ ବ୍ୟୁରୋ : କର୍ଣ୍ଣାଟକରେ ଶନିବାରଦିନ ନିର୍ବାଚନ । ଏଥିପାଇଁ ଆସନ୍ତାକାଲି ସରୁଛି ପ୍ରଚାର । ଏହାପୂର୍ବରୁ ଏକ ନାଟକୀୟ ଘଟଣାକ୍ରମରେ ବେଙ୍ଗାଲୁରୁର ଏକ ଫ୍ଲାଟରୁ ବହୁ ପରିମାଣର ଭୋଟ ପରିଚୟପତ୍ର ମିଳିଛି । ଆଉ ଏହାକୁ ନେଇ ବେଙ୍ଗାଲୁରୁରେ ଗତକାଲି ରାତିରେ ଡ୍ରାମା ଦେଖିବାକୁ ମିଳିଥିଲା । ଏହାପଛରେ କଂଗ୍ରେସର ହାତ ଅଛି ବୋଲି ଅଭିଯୋଗ ଆଣିଛି ବିଜେପି । ଦଳ କହିଛି , ଭୋଟର ଲିଷ୍ଟରେ ନକଲି ନାମ ଯୋଡାଯାଇ ଏହି ପରିଚୟ ପତ୍ର ପ୍ରସ୍ତୁତ କରାଯାଇଛି ।

ରାଜ୍ୟରେ ନିର୍ବାଚନ ରଦ୍ଦ କରିବାକୁ ବି ଦଳ ଦାବି କରିଛି । ସେପଟେ କଂଗ୍ରେସ କହିଛି, ଏହି ଭୋଟର କାର୍ଡକୁ ବିଜେପି କର୍ମକର୍ତ୍ତା ଜବତ କରିଛନ୍ତି । ଏହାକୁ ପୋଲିସ କି ନିର୍ବାଚନ କମିଶନ ଜବତ କରିନାହାନ୍ତି । ଯେଉଁ ଫ୍ଲାଟରୁ ଏହି ଭୋଟର ପରିଚୟପତ୍ର ମିଳିଛି ତାହା ବିଜେପି ନେତାଙ୍କ ବୋଲି ଦଳ ଦାବି କରିଛି । କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ପାଇଁ ଶନିବାର ଦିନ ଭୋଟଗ୍ରହଣ ହେବ । ଗଣତି ମଙ୍ଗଳବାରଦିନ ହେବ । ଏହି ନିର୍ବାଚନ କଂଗ୍ରେସ-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରାଜ୍ୟରେ ମାରାଥନ ପ୍ରଚାର ଚଳାଇଛନ୍ତି ।