ଉଷ୍ମ ହେଉଛି ରାଜନୀତି ପାଣିପାଗ : ପ୍ରଚାର ପାଇଁ ମୈଦାନରେ ପ୍ରାର୍ଥୀ । ଭୋଟ ପାଇଁ ରାଜନୈତିକ ଦଳର କସରତ

121

ଆସ୍କାରେ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନରେ ଅଛନ୍ତି । ଆସ୍କା ଲୋକସଭାରୁ ପ୍ରମିଳା ବିଶୋୟୀ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଢୁ କିଶୋର ସ୍ୱାଇଙ୍କ ପତ୍ନୀ । ଆସ୍କାରେ ପ୍ରଚାର ଜୋରଦାର ହୋଇଛି । ଲୋକଙ୍କ ପାଖରେ ପଂହଚୁଛନ୍ତି ନେତା ।

ବିଭିନ୍ନ ମୁଦ୍ଦା ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟରେ ନବରରଙ୍ଗପୁରରେ ଭୋଟ ହେବାକୁ ଥିବାବେଳେ ପ୍ରାର୍ଥୀମାନେ କସରତ ଆରମ୍ଭ କରିଦେଇଛନ୍ତି । ନବରଙ୍ଗପୁର ବିଧାନସଭା ଆସନଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ବିଜେଡିର ମନୋହର ରାନ୍ଧାରୀ ଏହି ଆସନରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । କିନ୍ତୁ ଚଳିତ ଥର ଦଳ ତାଙ୍କୁ ଡାବୁ ଗାଁ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଜେଡିରୁ ବିଧାୟକ ଟିକେଟ ଆଶାୟୀ ଥିବା ବେଦବ୍ୟାସ ଭତ୍ରା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ମାଝୀ ଭୋଟରଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ଆଉ ସୁନ୍ଦରଗଡରେ ଜୋରସୋରରେ ପ୍ରଚାର ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ପଥପ୍ରାନ୍ତ ସଭା ଆୟୋଜନ କରିବା ସହ ନିଜ ସପକ୍ଷରେ ଭୋଟଭିକ୍ଷା କରୁଛନ୍ତି । ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜର୍ଜ ତିର୍କୀ ଓ ବିଧାନସଭା ପ୍ରାର୍ଥୀ ଅମିତା ବିଶ୍ୱାଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଏହି ପ୍ରଚାର ସଭାରେ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ବି ସେତିକି ଉଷ୍ମ ହେବାରେ ଲାଗିଛି । ନିର୍ବାଚନ ପ୍ରଚାର ଆଉ ଅଳ୍ପଦିନ ବାକିଥିବାବେଳେ ସବୁ ପ୍ରାର୍ଥୀ ଏବେ ପ୍ରଚାର ମୈଦାନରେ । ଗୁଣପୁର ନିର୍ବାଚନମଣ୍ଡଳୀ ଗୁଡାରି ଓ ପଦ୍ମପୁର ବ୍ଲକ ଅଂଚଳରେ ବିଜୁ ଜନତା ଦଳ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି । ଗୁଣପୁର ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଶତାଧିକ କର୍ମୀଙ୍କ ଗହଣରେ ନିର୍ବାଚନ ପ୍ରଚାର କରିଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ କହିିଛନ୍ତି, ୧୯ ବର୍ଷ ଶାସନ କାଳରେ ସରକାରଙ୍କ ଲୋକପ୍ରିୟତା ଓ ସ୍ୱଚ୍ଛ ଶାସନ ବଳରେ ରାଜ୍ୟରେ ଉନ୍ନତି ହୋଇଛି ।