ରାଜ୍ୟର ପ୍ରତି ବ୍ଲକର ଗୋଟିଏ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ! ପ୍ରାୟ ହାଇସ୍କୁଲରେ ଟ୍ରାଭେଲ୍‌ ଆଣ୍ଡ ଟୁରିଜିମ୍‌ ଖୋଲିବାକୁ ନିଷ୍ପତ୍ତି

59

କନକ ବ୍ୟୁରୋ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ବାରମ୍ବାର ନିର୍ଦ୍ଦେଶ ପରେ ୨୦୧୬ରେ ରାଜ୍ୟର ୨୦୮ ହାଇସ୍କୁଲରେ ଖୋଲିଥିଲା ଧନ୍ଦାମୂଳକ ଶିକ୍ଷା । ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ସମସ୍ତ ହାଇସ୍କୁଲରେ ଧନ୍ଦାମୂଳକ ପାଠ୍ୟକ୍ରମରେ ପିଲାଙ୍କୁ ଶିକ୍ଷା ଦିଆଯିବ ବୋଲି ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଘୋଷଣା କରିଥିଲେ । ହେଲେ ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ । କେତେବେଳେ ପିଲାଙ୍କୁ ନିର୍ଧାରିତ ସମୟରେ ପୁସ୍ତକ ମିଳୁନି ତ ଆଉ କେତେବେଳେ ଦରମା ନେଇ ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ଆଡ଼ୁ ସମାଲୋଚନା ହେବା ପରେ ଏବେ ପୁଣି ୧୦୬ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ୨୦୧୮-୧୯ ଶିକ୍ଷାବର୍ଷରୁ ସ୍କୁଲଗୁଡ଼ିକରେ ଧନ୍ଦାମୂଳକ ପାଠ୍ୟକ୍ରମରେ ଶିକ୍ଷାଦାନ ଲାଗି ରାମ୍‌ସା ପକ୍ଷରୁ ଏବେ ହାଇସ୍କୁଲ ଚୟନ କରାଯାଇଛି।

ନିଷ୍ପତ୍ତିି ଅନୁଯାୟୀ ଚୟନ ହୋଇଥିବା ୧୦୬ଟି ହାଇସ୍କୁଲ ୧୭ଟି ଜିଲ୍ଲାରେ ରହିଛି । ମୟୂରଭଞ୍ଜରେ ସର୍ବାଧିକ ୧୯ଟି ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବ । ସବୁ ବ୍ଲକର ଗୋଟିଏ ଲେଖାଏ ହାଇସ୍କୁଲକୁ ଏଥିପାଇଁ ଚୟନ କରାଯାଇଛି । ଗଞ୍ଜାମର ୧୫, କୋରାପୁଟ, କେନ୍ଦୁଝର, ବଲାଙ୍ଗୀର ଓ କଟକର ୭ଟି ଲେଖାଏ, ବାଲେଶ୍ୱର, କନ୍ଧମାଳ ଓ ବରଗଡ଼ ଜିଲ୍ଲାର ୫ଟି ଲେଖାଏ, ପୁରୀ ଓ ରାୟଗଡ଼ାର ୪ଟି ଲେଖାଏ, କଳାହାଣ୍ଡିର ୬, ଯାଜପୁରର ୩, ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି, ଖୋର୍ଧାର ଗୋଟିଏ ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବ ।

ପୂର୍ବଥର ପରି ଏଥର ମଧ୍ୟ ୨୦୧୮-୧୯ ଶିକ୍ଷାବର୍ଷରୁ ପ୍ରତି ହାଇସ୍କୁଲରେ ଦୁଇଟି ଲେଖାଏ ଟ୍ରେଡ୍‌ ଖୋଲିବ । ସମସ୍ତ ବିଦ୍ୟାଳୟରେ ପ୍ରଥମ ଟ୍ରେଡ୍‌ ଆଇଟି/ଆଇଟିଇଏସ୍‌ ରଖାଯାଇଛି । ଏହାବ୍ୟତୀତ ଦ୍ୱିତୀୟ ଟ୍ରେଡ୍‌ ଭାବେ ବିଏଫ୍‌ଏସ୍‌ଆଇ, ହେଲ୍‌ଥ କେୟାର, ରିଟେଲ, ବିୟୁଟି ଆଣ୍ଡ ଓ୍ଵଲ୍‌ନେସ୍‌ ଓ ଟ୍ରାଭେଲ୍‌ ଆଣ୍ଡ ଟୁରିଜିମ୍‌ ବିଷୟରେ ପିଲାମାନେ ପଢ଼ିପାରିବେ । ପ୍ରାୟ ହାଇସ୍କୁଲରେ ଟ୍ରାଭେଲ୍‌ ଆଣ୍ଡ ଟୁରିଜିମ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଥର ଲାଗି ବିଦ୍ୟାଳୟରେ ହେଲ୍‌ଥ କେୟାର ଏବଂ ବିଉଟି ଓ୍ଵଲନେସ୍‌ ବିଷୟ ଖୋଲିବାକୁ ଯାଉଛି । ପୂର୍ବରୁ କୌଣସି ବିଦ୍ୟାଳୟରେ ଏଭଳି ବିଷୟ ଖୋଲି ନ ଥିଲା । ପିଲାମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ବିଷୟ ପଢ଼ିପାରିବେ ।

ପ୍ରତି ଟ୍ରେଡ୍‌ରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀ ରହିବେ । ପିଲାଙ୍କୁ ୮୦ ଘଣ୍ଟାର ଥିଓରି ଏବଂ ୧୨୦ ଘଣ୍ଟାର ପ୍ରାକ୍ଟିକାଲ ଶିକ୍ଷା ଦିଆଯିବ । ବିଦ୍ୟାଳୟରେ ଥିବା ଆଇସିଟି ଲ୍ୟାବ୍‌ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଲାଗି ବ୍ୟବହୃତ ହେବ । ଧନ୍ଦାମୂଳକ ସଂଯୋଜକ ଏବଂ ପ୍ରଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ଶିଳ୍ପାୟନ ପରିଦର୍ଶନ, ଅତିଥି ଅଧ୍ୟାପକ ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ଶିଳ୍ପାନୁଷ୍ଠାନ ସହ ରାଜିନାମା ହେବ । ପିଲାମାନେ ୬୦ ମାର୍କର ପ୍ରାକ୍ଟିକାଲ ଏବଂ ୪୦ ମାର୍କର ଥିଓରି ପରୀକ୍ଷା ଦେବେ । ହିନ୍ଦୀ, ସଂସ୍କୃତ ବଦଳରେ ତୃତୀୟ ବିଷୟ ଭାବେ ଧନ୍ଦାମୂଳକ ଶିକ୍ଷାକୁ ନେଇପାରିବେ । ୨୦୧୬ ଡିସେମ୍ବରରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଥିବା ୨୦୮ ହାଇସ୍କୁଲ ମଧ୍ୟରୁ ୩୦ଟିରେ ଗୋଟିଏ ଲେଖାଏ ବିଷୟ ଏବଂ ୧୭୮ଟିରେ ଦୁଇଟି ଲେଖାଏ ବିଷୟ ରହିଥିଲା । ଆଇଟି ଆଣ୍ଡ ଆଇଟିଇଏସ୍‌ ବିଷୟ ସମସ୍ତ ବିଦ୍ୟାଳୟରେ ଖୋଲିଛି । ୩୪ଟି ବିଦ୍ୟାଳୟରେ ରିଟେଲ୍‌, ୯୫ଟିରେ ଟ୍ରାଭେଲ୍‌ ଆଣ୍ଡ ଟୁରିଷ୍ଟ ଏବଂ ୪୯ଟିରେ ବିଏଫ୍‌ଏସ୍‌ଆଇ ପାଠ୍ୟକ୍ରମ ଏବେ ରହିଛି ।