କାଳିଆ ପାଇଁ ପାତର ଅନ୍ତର ! ବାଦ୍ ପଡୁଛନ୍ତି ପ୍ରକୃତ ହିତାଧିକାରୀ, ସରପଞ୍ଚ କହୁଛନ୍ତି ଯାହାକୁ ଭୋଟ ଦେଇଥିଲ ତାଙ୍କୁ କୁହ । ଭିଡିଓ ହେଲା ଭାଇରାଲ

399

କନକ ବ୍ୟୁରୋ : କାଳିଆ ଯୋଜନାରେ ସାମିଲ ହେବା ପାଇଁ ଏବେ ରାଜ୍ୟର ଅଧିକାଂଶ ପଞ୍ଚାୟତ ଅଫିସରେ ଲୋକଙ୍କର ଲମ୍ବା ଲାଇନ ଲାଗୁଛି । କାଳିଆ ଯୋଜନାରେ ଯେପରି ପ୍ରକୃତ ହିତାଧିକାରୀ ବା ଚାଷୀଙ୍କୁ ଫାଇଦା ମିଳିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଯେପରି ଜଣେ କେହି ବି ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ନ ପଡନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ହେଲପ ଲାଇନ ନମ୍ବର ଠାରୁ ଆରମ୍ଭ କରି ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ କାଳିଆ ଯୋଜନା ବାବଦରେ ଅବଗତ କରାଯାଉଛି । ଏଥିପାଇଁ ଜୋରଦାର କସରତ କରୁଛନ୍ତି ସରକାର ।

କାଳିଆ ଯୋଜନାକୁ ନେଇ ସରକାର ତତ୍ପର ଥିବା ବେଳେ ଏହାକୁ ନେଇ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ପାତର ଅନ୍ତର । କାଳିଆ ଯୋଜନାରୁ କିଭଳି ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ କାଳିଆ ଯୋଜନାରେ ସାମିଲ ହୋଇ ନ ଥିବାରୁ ଲୋକମାନେ ଖାସକରି ମହିଳା ମାନେ ଭିଏଲଡବ୍ଲୁଙ୍କୁ ତାଲା ପକାଇ ହୋ ହାଲ୍ଲା କରିଛନ୍ତି ।

ଏହି ଭିଡିଓଟି ଧର୍ମଶାଳାର ସାହାନିଡିହା ଗ୍ରାମ ପଞ୍ଚାୟତର ବୋଲି ଜଣାପଡୁଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାଳିଆ ଯୋଜନାରୁ ବାଦ ପଡିଥିବା ଲୋକମାନେ ସ୍ଥାନୀୟ ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚ ଜଣକ ତାଙ୍କର ନାଁ ହିତାଧିକାରୀ ତାଲିକାରୁ କାଟିଛନ୍ତି । ଏ ବାବଦରେ ସରପଞ୍ଚଙ୍କୁ କହିବାରୁ ଯାହାକୁ ଭୋଟ ଦେଇଥିଲ ତାଙ୍କୁ ଯାଇ କୁହ ବୋଲି ସେ କହୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରୁ ବାଦ ଦେବାକୁ ପଞ୍ଚାୟତସ୍ତରରେ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ମହିଳା ।

ଗୋଟିଏ ପଟେ ରାଜ୍ୟର ୬୨ ଲକ୍ଷ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ଲୋକ ଏଥିପାଇଁ ଆବେଦନ କରିଛନ୍ତି । ଆହୁରି ଦୁଇଟି ପର୍ଯ୍ୟାୟ ବାକି ଥିବା ବେଳେ ହିତାଧିକାରୀଙ୍କ ଆବେଦନ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ତେଣୁ ନିଶ୍ଚିତ ଭାବେ କିଛି ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍ ପଡୁଥିବା ଅଭିଯୋଗ ହେଉଛି । ଖାସକରି ପଞ୍ଚାୟତ ସ୍ତରରେ ଚଞ୍ଚାକତା କରି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଉଥିବା ଅଭିଯୋଗ ହେଉଛି । ତେଣୁ କାଳିଆ ଯୋଜନାର ସଫଳ ରୂପାୟନ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକୃତ ଚାଷୀଟିଏ ଏହି ଯୋଜନାରେ ଲାଭ ପାଉଛି ନା ଅଯୋଗ୍ୟ ହିତାଧିକାରୀ ଏହାର ଫାଇଦା ଉଠାଉଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ । ତେଣୁ କାଳିଆ ଯୋଜନାରେ ସାମିଲ ହୋଇଥିବା ପ୍ରତ୍ୟେକ ହିତାଧିକାରୀଙ୍କ ବାବଦରେ ଯାଞ୍ଚ କରିବା ଆବଶ୍ୟକ ବୋଲି ଏବେ ସାଧାରଣରେ ଦାବି ହେଉଛି ।

Comments are closed.