ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ : ଦୁଇଦେଶ ମଧ୍ୟରେ ହେବ ୩୭ ହଜାର କୋଟିର ପ୍ରତିରକ୍ଷା ଡିଲ, ଏସ-୪୦୦ ଏୟାର ଡିଫେନସ ମିସାଇଲ୍ ଚୁକ୍ତି ଉପରେ ବାଜିପାରେ ମୋହର

42

କନକ ବ୍ୟୁରୋ : ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିରି ପୁଟିନ୍ । ନୂଆଦିଲ୍ଲୀଠାରେ ଆୟୋଜିତ ବାର୍ଷିକ ଭାରତ-ଋଷ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଏସ-୪୦୦ ମିଶାଇଲ ଉପରେ ଶେଷ ମୋହର ମାରି ପାରନ୍ତି ପୁଟିନ୍ । ଦୁଇ ଦେଶମଧ୍ୟରେ ୩୭ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ହୋଇପାରେ ।

ସୁପରସୋନିକ୍ ଓ ହାଇପରସୋନିକ୍ ବେଗଯୁକ୍ତ ଏହି ସିଷ୍ଟମ୍ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ସବୁଠୁ ଆଧୁନିକ ମିସାଇଲ ବ୍ୟବସ୍ଥା ବୋଲି କୁହାଯାଏ । ଶତ୍ରୁ ଦେଶର ମିଶାଇଲକୁ ମାତ୍ ଦେବ ଏସ ୪୦୦ ମିଶାଇଲ । ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନର ମୁକାବିଲା ଓ ଆତଙ୍କବାଦ ବିରୋଧୀ ଅଭିଯାନ ପରି ବିଭିନ୍ନ କାରଣରୁ ଏହା ଭାରତ ପାଇଁ ଉପଯୋଗୀ ହେବ । ଚୀନ ପରେ ଭାରତୀୟ ସେନାକୁ ମିଳିବ ଏସ-୪୦୦ ମିଶାଇଲ ।

ଭାରତ ଓ ଋଷ ମଧ୍ୟରେ ଏହା ୧୯ ତମ ବାର୍ଷିକ ବୈଠକ, ଯାହା ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଅଛି । ଆମେରିକା ପକ୍ଷରୁ ଅନେକ ପ୍ରତିବନ୍ଧକ ଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ଏସ୍ ୪୦୦ ମିସାଇଲ ସିଷ୍ଟମ ଉପରେ ଏହି ଡିଲ୍ ହେବାକୁ ଯାଉଅଛି । ସୂଚନାଯୋଗ୍ୟ ଋଷ ସହ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଡିଲ ନକରିବା ପାଇଁ ଚେତାବନୀ ଦେଇଛି ଆମେରିକା । ଏସବୁ ସତ୍ୱେ ଭାରତ ନିଜର ପୁରଣା ସହଯୋଗୀ ଦେଶ ସହ ଏହି ଡିଲ୍ କରିବା ପାଇଁଯାଉଛି ।