ଭିକେ ସିଂହ ଇରାକରୁ ଆଣିବେ ମୃତ ୩୯ ଭାରତୀୟଙ୍କ ଅବଶେଷ ! ୪ ବର୍ଷ ପୂର୍ବେ ହତ୍ୟା କରିଥିଲେ ଆଇଏସଆଇଏସ

34

ଭାରତ ଫେରିବ ଇରାକରେ ମୃତ ୩୯ ଭାରତୀୟଙ୍କ ଅବଶେଷ । ସେଇଥିପାଇଁ ଆଜି ବାଗଦାଦ୍ ଯାତ୍ରା କରିଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ । ସ୍ୱତନ୍ତ୍ର ୱିଇଙ୍ଗ ସି-୧୭ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନରେ ଇରାକ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଆସନ୍ତାକାଲି ଫେରିବା ସମ୍ଭାବନା ରହିଛି । ସେଠାରୁ ଫେରିବା ପରେ ଭିକେ ସିଂହ ପଂଜାବ, ପଶ୍ଚିମବଙ୍ଗ ଓ ବିହାର ଯାଇ ପରିବାରକୁ ମୃତକଙ୍କ ଅବଶେଷ ଦେବେ । ଏନେଇ ମୃତକଙ୍କ ପରିବାରକୁ ଜଣାଇ ଦିଆଯାଇଥିବା କହିଛନ୍ତି ଭିକେ ସିଂହ ।

୪ବର୍ଷ ପୂର୍ବେ ଘଟିଥିବା ଏହି ନୃଶଂସ ଅପହରଣ ଓ ହତ୍ୟା ଘଟଣା ସ୍ପଷ୍ଟ ହେବା ପରେ ସରକାର ଉପରେ କ୍ଷୋଭ ପ୍ରକାଶ କରିଥିଲେ ମୃତକଙ୍କ ପରିଜନ । ଅନ୍ୟପଟେ ମୃତକଙ୍କ ପରିବାରକୁ ସତ ଲୁଚାଇ ବୈଦେଶିକ ମନ୍ତ୍ରୀ ମିଥ୍ୟା ଅଶ୍ୱାସନା ଦେଇଥିବା ଅଭିଯୋଗ ଆଣି ସଂସଦରେ ହଙ୍ଗାମ କରିଥିଲେ ବିରୋଧୀ । ଇରାକର ମୋସୁଲରେ ଏକ କନଷ୍ଟ୍ରକସନ କଂପାନୀରେ କାମ କରୁଥିଲେ ୩୯ଜଣ ଭାରତୀୟ । ମୋସୁଲ ସହରକୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ କବଜା କରିବା ପରେ ୩-୪ ବର୍ଷ ପୂର୍ବେ ୩୯ଭାରତୀୟଙ୍କୁ ଅପହରଣ କରି ହତ୍ୟା କରିଥିଲେ ।

ଏହାପରେ ସେମାନଙ୍କ ମୃତଦେହକୁ ବାଦୁଶ ଗ୍ରାମ ନିକଟ ପାହାଡ ଉପରେ ସାମୁହିକ ଗଣକବର ଦେଇଥିଲେ ଆତଙ୍କବାଦୀ । ସର୍ଚ୍ଚ ଅପରେସନରେ ଏହି ଗଣକବରକୁ ଠାବ କରାଯାଇଥିଲା । ସେଠାରୁ ଉଦ୍ଧାର ହୋଇଥିବା କଙ୍କାଳର ଡିଏନଏ ଟେଷ୍ଟ କରିବା ପରେ ସ୍ପଷ୍ଟ ହୋଇଥିଲା ଏହା ଅପହୃତ ୩୯ ଭାରତୀୟଙ୍କ ମୃତଦେହ । ଏହାପରଠୁ ଭାରତ ସରକାର ଇରାକରୁ ମୃତଦେହର ଅବଶେଷ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି କ୍ରମରେ ମୃତଦେହର ଅବଶେଷ ଆଣିବାକୁ ଆଜି ଇରାକ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ।