ପୁଣି ପାକିସ୍ତାନ ପ୍ରେମରେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ! କହିଲେ ଦକ୍ଷିଣ ଭାରତ ତୁଳନାରେ ପାକିସ୍ତାନ ଯାତ୍ରା ଭଲ ।

44

କନକ ବ୍ୟୁରୋ : ପୁଣି ଅଡୁଆରେ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ପୁଣି ଥରେ ପାକିସ୍ତାନର ପ୍ରଶଂସା କରିଛନ୍ତ ସିଦ୍ଧୁ । ନିକଟ ଅତୀତରେ କରିଥିବା ପାକିସ୍ତାନ ଯାତ୍ରାକୁ ଦକ୍ଷିଣ ଭାରତ ଯାତ୍ରା ତୁଳନାରେ ଭଲ ବୋଲି କହିଛନ୍ତି । ଯାହାକୁ ନେଇ ନୂଆ ବିବାଦ ହେବାର ଆଶଙ୍କା ରହିଛି । ସିଦ୍ଧୁ କହିଛନ୍ତି ଯେ ପାକିସ୍ତାନର ଯେକୌଣସି ସ୍ଥାନକୁ ଯାତ୍ରା କଲେ ବି ସେଠାରେ ଭାଷା ବଦଳେ ନାହିଁ, ଖାଦ୍ୟ ବଦଳେ ନାହିଁ ଆଉ ଲୋକମାନେ ବଦଳନ୍ତି ନାହିଁ । କିନ୍ତୁ ଦକ୍ଷିଣ ଭାରତ ଯାତ୍ରା ସମୟରେ ଖାଦ୍ୟ ଠାରୁ ଆରମ୍ଭ କରି ଭାଷା ସବୁକିଛି ବଦଳି ଯାଇଥାଏ ।

ହିମାଚଳପ୍ରଦେଶରେ ଚାଲିଥିବା ଲିଟରେଚର ଫେଷ୍ଟିଭାଲରେ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ସିଦ୍ଧୁ । ଏହି ସମୟରେ ସେ ଆର୍ମି ମୁଖ୍ୟ କମର ଜାବେଦ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ । ସିଦ୍ଧୁଙ୍କର ପାକିସ୍ତାନରେ ଏଭଳି କାର୍ଯ୍ୟ ବେଶ ବିବାଦୀୟ ହୋଇଥିଲା । ଅନେକ ସ୍ଥାନରୁ ତାଙ୍କୁ ସମାଲୋଚନା ଶୁଣିବାକୁ ପଡିଥିବା ବେଳେ ରାଜନୈତିକ ଦଳ ଗୁଡିକ ମଧ୍ୟ ସିଦ୍ଧୁଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ତେବେ ଏଥର ପୁଣି ଥରେ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ପଦାରେ ପଡିଛି ।