ଅଧାରୁ ବନ୍ଦ ହେଲା ଓଡିଆ ଫିଲ୍ମ ବିଶ୍ୱନାଥ : ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ଫିଲ୍ମରେ ଲାଗିଥିବା ନେଇ ଏସଟିଏଫ ଜାଣିବା ପରେ ଅଧାରୁ ବନ୍ଦ ହେଲା ସୁଟିଂ

48

କନକ ବ୍ୟୁରୋ : ଅଧାରୁ ବନ୍ଦ ହେଲା ଓଡିଆ ଫିଲ୍ମ ବିଶ୍ୱନାଥର ସୁଟିଂ । ଗତକାଲି ଫିଲ୍ମରେ ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ଲାଗିଥିବା ନେଇ ଜଣାପଡିବା ପରେ ସୁଟିଂ ବନ୍ଦ ହୋଇଥିବା କଥା ସାମନାକୁ ଆସିଛି । ଫିଲ୍ମଟି ନିର୍ମାଣଧୀନ ଥିବା ବେଳେ ଟିଟୋର ଟଙ୍କା ଫିଲ୍ମରେ ଲାଗିଥିବା ନେଇ କ୍ରାଇମବ୍ରାଂଚ ଏସଟିଏଫକୁ ଜେରା ବେଳେ ଜଣାପଡିଥିଲା । ଗଣେଶ ପୂଜାରେ ଏହି ଫିଲ୍ମ ରିଲିଜ୍ ହେବାର ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ରିମାଣ୍ଡରେ ଆଣି ଟିଟୋକୁ ଗୁଡାଇ ତୁଡାଇ ଜେରା କରୁଛି ସ୍ୱତନ୍ତ୍ର ଟାକ୍ସ ଫୋର୍ସ ।

ତଦନ୍ତ ବେଳେ ସାମନାକୁ ଆସୁଛି ଗ୍ୟାଙ୍ଗଷ୍ଟରର କଳା ସାମ୍ରାଜ୍ୟର ଅନେକ ଗୁମର । ଫିଲ୍ମ ବିଶ୍ୱନାଥରେ ଗ୍ୟାଙ୍ଗଷ୍ଟର ସିଧାସଳଖ ସଂପୃକ୍ତ ନଥିଲେ ବି ନିଜ ସମ୍ପର୍କୀୟ ଭାଇଙ୍କ ଜରିଆରେ ଟଙ୍କା ଲଗାଇଥିବା ଜଣାପଡିଛି । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ସମ୍ବିତ ଓ ସମ୍ଭାବନା । ଏଥିରେ ରାଇମୋହନ, ମିହିର ଦାଶ ବି ଅଭିନିୟ କରୁଥିବା ଜଣାପଡିଛି । ଏସଟିଏଫକୁ ଏ ନେଇ ସୁରାକ ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ । ଫିଲ୍ମରେ ଟିଟୋର ଜାଗୁଆର ଗାଡି ବି ବ୍ୟବହାର ହେଊଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଗ୍ୟାଙ୍ଗଷ୍ଟର ଟିଟୋ ପୁଲିସ କବଜାରେ ଧରାପଡିବା ପରଠାରୁ ଖୋଲୁଛି ଅନେକ ରହସ୍ୟ ପେଡି । କେତେବେଳେ ଅଡି କାର ତ ଆଉ କେତେବେଳେ କଲିକତାରେ ଟିଟୋର କୋଟି କୋଟି ସମ୍ପତି ଥିବା ଖବର ଜାଣିବାକୁ ପାଇଛି କ୍ରାଇବବ୍ରାଞ୍ଚର ଏସଟିଏଫ । ତେବେ ଖୋଳତାଡ଼ ପରେ ଏକ ଚାଞ୍ଚଲ୍ୟକର ସୁରାକ ଏସଟିଏଫ ହାତରେ ଲାଗିଥିଲା । ନିର୍ମାଣଧୀନ ଓଡିଆ ଫିଲ୍ମ ବିଶ୍ୱନାଥରେ ଟିଟୋ ଏହି ଟଙ୍କା ଲଗାଇଥିବା ଜାଣିବାକୁ ମିଳିଥିଲା।