ଆଜି ପବିତ୍ର ବିଶ୍ୱକର୍ମା ପୂଜା : ସାରା ଦେଶରେ ଉତ୍ସବର ମାହୋଲ

509

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ପୂଜା। ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ପୌରାଣିକ କଥା ଅନୁଯାୟୀ, ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ ।

ଶିଳ୍ପ ଜଗତ ପାଇଁ ବିଶ୍ୱକର୍ମାଙ୍କ ଦାନ ଅତୁଳନୀୟ । ତେଣୁ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ କୃର୍ଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।

ପୌରାଣିକ କଥା ଅନୁସାରେ, ପୂରା ବିଶ୍ୱ ବ୍ରହ୍ମାଣ୍ଡର ରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । ଏପିରିକି ଋକବେଦର ୧୦ମ ଅଧ୍ୟାୟର ୧୨୧ତମ ଭାଗରେ ଲେଖାଯାଇଛି ଯେ, ଭଗବାନ ବିଶ୍ୱକର୍ମା ଧରିତ୍ରୀ, ଆକାଶ ଓ ଜଳର ରଚନା କରିଥିଲେ । ବିଶ୍ୱକର୍ମା ପୂରାଣ ଅନୁଯାୟୀ, ସୃଷ୍ଟିର ରଚୟିତା ଆଦି ନାରାୟଣ ସର୍ବପ୍ରଥମେ ବ୍ରହ୍ମା ଓ ପରେ ବିଶ୍ୱକର୍ମାଙ୍କ ରଚନା କରିଥିଲେ ।