ମା’ ନେବେ ମେଲାଣୀ ! ୩ଟି ସ୍ଥାନରେ ହେବ ବିସର୍ଜନ, ଟ୍ୱିନ୍ ସିଟିରେ ବ୍ୟାପକ ପ୍ରସ୍ତୁତି

67

durga-puja-2016-dashami-visarjanକନକ ବ୍ୟୁରୋ : ବିଜୟ ଦଶମୀର ଅନ୍ତିମ ମୁହୁର୍ତ ପରେ ପାଖେଇ ଆସୁଛି ମା’ଙ୍କୁ ମେଲାଣୀର ଘଡ଼ି । ସତ୍ୟ ଏବଂ ଧର୍ମର ବିଜୟର ବାର୍ତ୍ତା ଦେଇ ବାହୁଡ଼ି ଯିବେ ଜଗତଜନନୀ ମା’ ଦୁର୍ଗା । ଦୀର୍ଘ ୯ ଦିନର ଉତ୍ସବର ମାହୋଲ ଭିତରେ ଆରମ୍ଭ ହୋଇ ଯାଇଛି ମା’ଙ୍କ ବିଦାୟର ପର୍ବ ବା ଭଷାଣିର ପ୍ରସ୍ତୁତି । କିଛି ଏଭଳି ଢ଼ଙ୍ଗରେ ଆସନ୍ତାକାଲି ବାହାରିବ ମା’ଙ୍କ ଭଷାଣୀ ଶୋଭାଯାତ୍ରା । ଧାଡିକୁ ଧାଡ଼ି ବାହାରୁଥିବ ମା’ଙ୍କ ମେଢ଼, ବାଜା-ବାଣ ଭିତରେ ପୁଣି ଦୁଲୁଛି ଉଠୁଥିବ ସଂସ୍କୃତିକ ଶୋଭାଯାତ୍ରା । ଯେଉଁଥି ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।

ରାଜଧାନୀ ଭୁବନେଶ୍ୱରରେ ଭଷାଣି ଉତ୍ସବକୁ ସୁରକ୍ଷିତ ଏବଂ ସୁରୁଖୁରୁରେ ପାଳନ କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ୍ ପୁଲିସ । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିବା ବେଳେ ୨୦ ଜଣ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ମିଳିଛି ଦାୟିତ୍ୱ । ଆଉ ଭଷାଣିକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବାକୁ ପୂଜା କମିଟି ଗୁଡ଼ିକ ବି ବଢ଼ାଇଛନ୍ତି ସହଯୋଗର ହାତ ।

ରୌପ୍ୟନଗରୀ କଟକ ସହରରେ ବି ଭଷାଣି ପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ଭଷାଣି ବେଳେ ପ୍ରସ୍ତୁତ ରହିବେ ୬୨ ପ୍ଳାଟୁନ୍ ପୁଲିସ ଫୋର୍ସ । ଏହା ସହ ଗୋଟିଏ ପ୍ଲାଟୁନ୍ ଏସ୍ଓଜି ଯବାନ ଏବଂ ଗୋଟିଏ ପ୍ଲାଟୁନ୍ ଓଡ୍ରାଫ୍ ଟିମ୍ ତୟାର ରହିବେ । ଆଉ ବିଭିନ୍ନ ସ୍ଥାନରେ ୧୬ଟି ସିସିଟିଭି କ୍ୟାମେରା ଜରିଆରେ ପୁରା କାର୍ଯ୍ୟକ୍ରମ ଉପରେ ରଖାଯିବ ନଜର ।

କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଭଷାଣି ପାଇଁ ମୁଖ୍ୟତଃ ୩ଟି ଦିଗ ଉପରେ ରହିବ ପୁଲିସ ଏବଂ ପ୍ରଶାସନ ନଜର । ଗୋଟିଏ ସ୍ଥାନରେ ହଜାର ହଜାର ଲୋକଙ୍କ ସମାଗମର ଶୃଙ୍ଖଳିତ ପରିଚାଳନା । ଏକାଧିକ ମେଢ଼ର ଶହ ଶହ ଗାଡ଼ି, ତା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ହଜାର ହଜାର ଗାଡ଼ି । ତେଣୁ ଟ୍ରାଫିକ୍ ନିୟନ୍ତ୍ରଣ ବି ବଡ଼ ଆହ୍ୱାନ । ପ୍ରବଳ ଜନଗହଳି ଭିତରେ ଲୋକଙ୍କ ସୁରକ୍ଷା ମଧ୍ୟ ପୁଲିସ ଏବଂ ପ୍ରଶାସନ ପାଇଁ ଏକ ବଡ ଆହ୍ୱାନ ।