ବିଶ୍ୱକପକୁ ନେଇ ସେହୱାଗଙ୍କ ଭବିଷ୍ୟବାଣୀ । ବିରାଟ ବାହିନୀକୁ ନୁହେଁ ଏହି ଟିମକୁ ଦେଲେ ଫେଭରିଟ୍ ଟ୍ୟାଗ୍ ।

1,143

ବିଶ୍ୱକପରେ ଭାରତୀୟ ଟିମକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଧୂଆଁଧାର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ବଡ ବୟାନ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ୟୁଟ୍ୟୁବ ଚ୍ୟାନେଲରେ ବିରାଟ ବାହିନୀକୁ ବଡ ଭବିଷ୍ୟବାଣୀ କରିଛନ୍ତି ନଜଫଗଡର ନୱାବ । ସେହୱାଗଙ୍କ ଭବିଷ୍ୟତବାଣୀ ଅନୁଯାୟୀ, ଚଳିତ ବିଶ୍ୱକପ ଟାଇଟଲ ରେସରେ ସବୁଠୁ ଆଗରେ ରହିଛି ଇଂଲଣ୍ଡ ।

ଇଂଲଣ୍ଡ ପାଖରେ ଲମ୍ବା ବ୍ୟାଟିଂ ଲାଇନ ଅପ୍ ରହିଛି । ଟିମରେ ସ୍ଥାନ ପାଇଥିବା ୧୧ ଜଣ ଖେଳାଳି ବ୍ୟାଟିଂ କରିବାକୁ ସକ୍ଷମ । ଏହି ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ୭ ଜଣ ବୋଲିଂ କରିବାକୁ ସକ୍ଷମ । ତେଣୁ ଇଂଲଣ୍ଡକୁ ମାତ୍ ଦେବାକୁ ହେଲେ ଭାରତର ଟପ୍ ଅର୍ଡରକୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ । ସେହିଭଳି ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡିବ । ଉଭୟ ଟିମ୍ ଫାଇନାଲ ଓ ସେମିଫାଇନାଲ ପୂର୍ବରୁ ମୁହାଁମୁହିଁ ହେବେ । ଆଉ ଏହି ମ୍ୟାଚରୁ ହିଁ ସ୍ପଷ୍ଟ ହୋଇଯିବ ଯେ, କେଉଁ ଟିମ୍ କାହା ଉପରେ ଭାରି ପଡିବ ।

ଇଂଲଣ୍ଡ ଚଳିତ ବିଶ୍ୱକପର ସବୁଠୁ ବଡ ଦାବିଦାର । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ଏପରିକି ଅଧିନାୟକ ଇଆନ ମୋର୍ଗାନ ମଧ୍ୟ ଏବେ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ତେବେ ସୋଏବ ଅଖତର ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଟ୍ୟାଗ୍ ଦେଇଛନ୍ତି । ଚାପରେ ବ୍ୟାଟିଂ କରିବାର ଦକ୍ଷତା ଭାରତ ପାଖରେ ରହିଛି । ଲମ୍ବା ବ୍ୟାଟିଂ ଲାଇନ ଅପ୍ ସହ ବୋଲିଂରେ ମଧ୍ୟ ଜବରଦସ୍ତ ଫର୍ମରେ ଅଛି ଟିମ୍ ଇଣ୍ଡିଆ । ଏକ ସନ୍ତୁଳିତ ଟିମ୍ ନେଇ ବିଶ୍ୱକପକୁ ଓହ୍ଲାଇଛି ବିରାଟ ବାହିନୀ । ଯାହା ଅନ୍ୟ ଟିମ୍ ପାଖରେ ନାହିଁ । ତେଣୁ ଚଳିତ ଥର ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ ଟାଇଟଲ ପାଇଁ ଫାଇନାଲ ମୁକାବିଲା ଦେଖିବାକୁ ମିଳିପାରେ ବୋଲି କହିଛନ୍ତି ସୋଏବ ।