ବେଆଇନ ଅର୍ଥ କାରବାର ନେଇ ବୀରଭଦ୍ର ସିଂଙ୍କ ବିରୋଧରେ ମାମଲା

33

କନକ ବ୍ୟୁରୋ: ନଭେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଙ୍କଟରେ ପଡ଼ିଯାଇଛନ୍ତି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ । ତାଙ୍କ ବିରୋଧରେ ପୂର୍ବରୁ ରୁଜୁ ହୋଇଥିବା ଅର୍ଥ ହେରଫେର ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୀରଭଦ୍ରଙ୍କର ପ୍ରାୟ ୫.୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ।

ଇଡି ବାଜ୍ୟାପ୍ତ କରିଥିବା ଏହି ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିଗୁଡ଼ିକ ବୀରଭଦ୍ରଙ୍କ ପୁଅ ବିକ୍ରମାଦିତ୍ୟ ସିଂହ, ଝିଅ ଅପରାଜିତା ସିଂହ ଏବଂ ପତ୍ନୀ ପ୍ରତିଭା ସିଂହଙ୍କ ନାଁରେ ରହିଛି । ଦିଲ୍ଲୀର ଡେରା ମଣ୍ଡିରେ ଏମଏସ୍ ତାରଣୀ ଇଣ୍ଟରନ୍ୟାସନାଲ ନାଁରେ ଥିବା ଏକ ଫାର୍ମ ହାଉସର କିଛି ଅଂଶ ଏବଂ ଗୁଜରାଟର ବାପିରେ ଏମଏସ୍ ତାରିଣି ଇନଫ୍ରା ଦାମନଗଙ୍ଗା ପ୍ରକଳ୍ପରୁ ୪.୨ କୋଟି ଟଙ୍କା ସମ୍ପତ୍ତି ବାଜ୍ୟାପ୍ତ ହୋଇଛି ।

ସେହିପରି ବିକ୍ରମାଦିତ୍ୟ ଏବଂ ଅପରାଜିତାଙ୍କ ବିଭିନ୍ନ ବ୍ୟାଙ୍କ୍ ଖାତାରେ ଥିବା ୨୦ ଲକ୍ଷର ଜମାରାଶି ଏବଂ ୬୪ ଲକ୍ଷର ବିଭିନ୍ନ କମ୍ପାନି ଅଂଶଧନକୁ ବାଜ୍ୟାପ୍ତ କରିଦିଆଯାଇଛି । ଏ ଯାବତ୍ ଦୁର୍ନୀତି ମାମଲାରେ ବୀରଭଦ୍ରଙ୍କର ପାଖାପାଖି ୪୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଥିବା ଇଡି କହିଛନ୍ତି ।

ସୂଚନା ମୁତାବକ, ୨୦୧୫ ମସିହାରେ ବେଆଇନ ଅର୍ଥ କାରବାର ନେଇ ବୀରଭଦ୍ର ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ପୁଅ ବିକ୍ରମାଦିତ୍ୟ, ପତ୍ନୀ ପ୍ରତିଭା ଓ ଝିଅଙ୍କ ବିରୋଧରେ ମଧ୍ୟ ଇଡି ମାମଲା ରୁଜୁ କରିଛି । ଅନ୍ୟପଟେ, ଆୟର୍ବହିଭୂତ ସଂପତି ମାମଲାରେ ବୀରଭଦ୍ର ଓ ତାଙ୍କ ପତ୍ନୀଙ୍କ ଶୁଣାଣି ଦିଲ୍ଲୀର ପଟିଆଲା କୋର୍ଟରେ ହେବ । ଏନେଇ କୋର୍ଟ ଆସନ୍ତା ୩୧ ତାରିଖରୁ ଧାର୍ଯ୍ୟ କରିଛନ୍ତି ।