ରାମ ରହିମଙ୍କ ବିରାଟ ଭକ୍ତ ! ଭାଇରାଲ୍ ହେଉଛି ବାବାଙ୍କ ପାଦ ତଳେ ବସି ଆଶୀର୍ବାଦ ନେଉଥିବା କୋହଲୀଙ୍କ ଫଟୋ

45

କନକ ବ୍ୟୁରୋ : ବଡ଼ ବାବାଙ୍କ ବଡ଼ ଭକ୍ତ । ବଲିଉଡ୍ ଷ୍ଟାରଙ୍କଠାରୁ ଆରମ୍ଭ କରି କ୍ରିକେଟ୍ କିମ୍ବଦନ୍ତୀ ପର୍ଯ୍ୟନ୍ତ । କେହି ବି ପଛଘୁଂଚା ଦିଅନ୍ତି ନାହିଁ ଆତ୍ମଘୋଷିତ ବାବାଙ୍କଠାରୁ ଆର୍ଶୀବାଦ ନେବା ପାଇଁ । ଅତୀତରେ ତ ଏହାର ଅନେକ ନଜୀର୍ ଦେଖିବାକୁ ମିଳିଛି । କିନ୍ତୁ ଏବେ ସାମ୍ନାକୁ ଆସିଛି ତାଜା ଏକ ଉଦାହରଣ ।

କୋହଲୀଙ୍କୁ ବିରାଟ ବ୍ୟାଟ୍ସମ୍ୟାନ୍ କରିଛନ୍ତି ବାବା ରାମ ରହିମ । ଏକଥା ଆଉ କେହି ନୁହେଁ ନିଜେ କହିଛନ୍ତି ବାବା ରାମ ରହିମ । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାବା ରାମ ରହିମ୍ କହିଛନ୍ତି କୋହିଲୀଙ୍କ ବିରାଟ ସଫଳତା ପଛରେ ରହିଛି ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା । ବ୍ୟାଟିଂ ବେଳେ କୋହଲୀ ଭଲ ଆରମ୍ଭ କରି ମଧ୍ୟ ବଡ ସ୍କୋର୍ କରି ପାରୁନଥିଲେ । କିନ୍ତୁ ବାବାଙ୍କ ଯୋଗୁଁ ଶେଷରେ କୋହଲୀ ସଫଳତା ପାଇଥିଲେ ।

ବିରାଟଙ୍କ ବ୍ୟତୀତ ଶିଖର ଧୱନ୍ , ଆଶିଷ ନେହେରା, ଜାହିର୍ ଖାନ୍ , ୟୁସୁଫ୍ ପଠାନ୍ ଏବଂ ୱକର୍ ୟୁନିସଙ୍କୁ ମଧ୍ୟ ନିଜ ଚେଲା ବନାଇବାରେ ସଫଳ ହୋଇଥିଲେ ରାମ ରହିମ । କେବଳ ସେତିକି ନୁହେଁ ରାମ ରହିମଙ୍କ ଦାବି ଯେ ବିଜେନ୍ଦର ସିଂହ ମଧ୍ୟ ତାଙ୍କ ଆର୍ଶୀବାଦ ପାଇବା ପରେ ବିଶ୍ୱ ସ୍ତରୀୟ ବକ୍ସର ହୋଇ ପାରିଥିଲେ ।

ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟଙ୍କୁ ରାମ ରହିମ ଏହି କଥା ୨୦୧୬ରେ କହିଥିଲେ । ହେଲେ ବାବାଙ୍କ କଥାରେ କେତେ ସତ କେତେ ମିଛ ତାହା କହିବା କଷ୍ଟ । କିନ୍ତୁ କୋହଲୀ ଯେ ବାବାଙ୍କ ଭକ୍ତ ତାହା ବୟାନ୍ କରୁଛି ଭାଇରାଲ୍ ହୋଇଥିବା ଏକ ଭିଡିଓ । ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲୀ ବାବା ରାମ ରହିମଙ୍କ ପାଦ ପାଖରେ ବସି ତାଙ୍କ ଆର୍ଶୀବାଦ ନେଉଛନ୍ତି । ଆଉ ବିରାଟଙ୍କ ସହ ଅଛନ୍ତି ଆଶିଷ ନେହେରା, ବିଜୟ ଦହିୟା । ତେବେ ଭିଡିଓକୁ ଦେଖିଲେ ଜଣା ପଡୁଛି ଯେ ଏହା ପୁରୁଣା ବୋଲି  । କିନ୍ତୁ ରାମ ରହିମ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।