ବିଦେଶରେ ଗାଙ୍ଗୁଲିଙ୍କ ସମକକ୍ଷ ହେଲେ କୋହଲି ! ଖୁବ୍ ଶୀଘ୍ର ବିରାଟ ଭାଙ୍ଗିବେ ଧୋନୀଙ୍କ ରେକର୍ଡ ।

252

ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟରେ ୧୩୭ ରନର ବଡ ବ୍ୟବଧାନରେ ଭାରତ ଘରୋଇ କଙ୍ଗାରୁ ଦଳକୁ ମାତ ଦେଇଛି । ଏହା ସହ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି ବିରାଟ ବାହିନୀ । ତେବେ ଏହି ସିରିଜରେ ସବୁଠାରୁ ବଡ ରେକର୍ଡ ସୃଷ୍ଟି କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ।
ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ସହ ଅଧିନାୟକ ବିରାଟ କୋହଲି ବିଦେଶରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ସମକକ୍ଷ ହେବା ସହ ସମାନ ଭାବେ ଗାଙ୍ଗୁଲି ସହ ସବୁଠାରୁ ସଫଳ ଭାରତୀୟ ଅଧିନାୟକ ହୋଇଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ କୋହଲିଙ୍କ ଅଧିନାୟକତ୍ତ୍ୱରେ ବିଦେଶ ମାଟିରେ ଏହା ଭାରତର ୧୧ତମ ବିଜୟ ଅଟେ । ଆଉ ଏହି ବିଜୟ ପରେ କୋହଲି ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପୂର୍ବରୁ ସୌରଭ ଗାଙ୍ଗୁଲିରେ ନେତୃତ୍ୱରେ ବିଦେଶୀ ମାଟିରେ ଭାରତ ସର୍ବାଧିକ ୧୧ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା ।

ବିଦେଶରେ ଭାରତର ସଫଳ ଅଧିନାୟକ :

୧. ବିରାଟ କୋହଲି – ୨୪ଟି ଟେଷ୍ଟ ମ୍ୟାଚରୁ ୧୧ଟି ବିଜୟ
୨. ସୌରଭ ଗାଙ୍ଗୁଲି – ୨୮ ଟେଷ୍ଟ ମ୍ୟାଚରୁ ୧୧ଟି ବିଜୟ
୩. ମହେନ୍ଦ୍ର ସିଂହ ଧୋନୀ – ୩୦ଟି ଟେଷ୍ଟ ମ୍ୟାଚରୁ ୬ଟି ବିଜୟ
୪. ରାହୁଲ ଦ୍ରାବିଡ୍ – ୧୭ଟି ଟେଷ୍ଟ ମ୍ୟାଚରେ ୫ଟି ବିଜୟ

କେବଳ ଏତିକି ନୁହେଁ, କୋହଲି ଖୁବଶୀଘ୍ର ଭାରତର ସବୁଠାରୁ ସଫଳ ଅଧିନାୟକ ହେବାକୁ ଯାଉଛନ୍ତି । ଯଦି ସିଡନୀରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରୁଛି, ତେବେ ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନୀଙ୍କ ସହ ସମକକ୍ଷ ଭାବେ ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ହେବେ । ଏହା ସହ କମ ମ୍ୟାଚରେ ଭାରତକୁ ଅଧିକ ବିଜୟ ଦେବାରେ ମଧ୍ୟ କୋହଲି ଧୋନୀଙ୍କୁ ପଛରେ ପକାଇବେ । ତେବେ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମୋଟ୍ ୬୦ଟି ଟେଷ୍ଟ ଖେଳିଥିବା ବେଳେ, ୨୭ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୪୫ଟି ମ୍ୟାଚ ଖେଳିଥିବା ବେଳେ ୨୬ଟି ବିଜୟ ହାସଲ କରିଛି ।