ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି ! ୧୦ ହଜାର ଦିନିକିଆ ରନ୍ ଠାରୁ ଆଉ ମାତ୍ର ଅଳ୍ପ ଦୂରରେ ଦୁଇ ଭାରତୀୟ ତାରକା ।

39

କନକ ବ୍ୟୁରୋ : ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି । ଟିମ୍ ଇଣ୍ଡିଆର ଦୁଇ ଧୂରନ୍ଧର ଏବେ ଗୋଟିଏ ରେକର୍ଡ ଭାଙ୍ଗିବା ରେସରେ ଅଛନ୍ତି । ଆଉ ଏହି ରେକର୍ଡ ହେଉଛି ଅନ୍ତର୍ଜାତୀୟ ଦିନିକିଆରେ କିଏ ଆଗ ୧୦ ହଜାର ରନ୍ ପୂରଣ କରିବେ । ଅଧିନାୟକ ବିରାଟ କୋହଲି ଏହି କୀର୍ତିମାନ ଠାରୁ ଆଉ ମାତ୍ର ୮୧ ରନ୍ ଦୂରରେ ଅଛନ୍ତି । ଅର୍ଥାତ୍ ଆଉ ୮୧ ରନ୍ କଲେ ଅନ୍ତର୍ଜାତୀୟ ଦିନିକିଆର ୧୦ ହଜାର ରନ୍ କ୍ଲବରେ ସାମିଲ ହେବେ ବିରାଟ । ଏହା ସହ ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜରେ ଯଦି କୋହଲି ଏହି କୀର୍ତିମାନ ହାସଲ କରନ୍ତି ତେବେ ସେ ହେବେ ଦ୍ରୁତତମ ୧୦ ହଜାର ଦିନିକିଆ ରନ୍ ସଂଗ୍ରହକାରୀ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ । କାରଣ ମାତ୍ର ୨୦୪ଟି ଇନିଂସରେ ବିରାଟ ୯ ହଜାର ୯୧୯ ରନ୍ ସ୍କୋର କରି ସାରିଛନ୍ତି ।

ଏବେ ଏହି କୀର୍ତିମାନର ଅଧିକାରୀ ହେଉଛନ୍ତି ମହାନ୍ କ୍ରିକେଟର ସଚିନ୍ ତେନ୍ଦୁଲକର । ସଚିନ୍ ୧୦ ହଜାର ରନ୍ ପୂରଣ କରିବା ପାଇଁ ୨୫୯ ଇନିଂସ ଖେଳିଥିବା ବେଳେ ଖୁବ୍ ଶୀଘ୍ର ବିରାଟ ଏହି ରେକର୍ଡ ଅତିକ୍ରମ କରିବା ଆଶା କରାଯାଉଛି । ସେପଟେ ଅନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ୍ ପୂରଣ ପାଇଁ ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆବଶ୍ୟକ ଆଉ ମାତ୍ର ୫୧ ରନ୍ । ତେବେ ଯଦି ଏସିଆ ଏକାଦଶ ଟିମରେ ଖେଳିଥିବା ଧୋନିଙ୍କ ସ୍କୋର୍ ୧୭୪ ରନକୁ ମିଶାଯାଏ ତେବେ ଏହି ମାଇଲ ଖୁଂଟକୁ ସେ ଅତିକ୍ରମ କରି ସାରିଛନ୍ତି ।

କିନ୍ତୁ ନିଜ ଦେଶ ପାଇଁ ଅନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବାକୁ ହେଲେ ଧୋନିଙ୍କୁ ଆଉ ୫୧ ରନ୍ ସ୍କୋର କରିବାକୁ ପଡିବ । ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚଳିତ ଘରୋଇ ସିରିଜରେ ଏହି କୀର୍ତିମାନ ହାସଲ କରିନେବେ ବୋଲି ଆଶା କରାଯାଉଛି । ଏହା ସହ ଆଉ ଏକ ରେକର୍ଡର ମଧ୍ୟ ନିକଟବର୍ତି ହୋଇଛନ୍ତି କ୍ୟାପଟେନ୍ କୋହଲି । ଆଉ ମାତ୍ର ୪୭ ରନ୍ କଲେ ସେ ହେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ । ବର୍ତମାନ ଏହି ରେକର୍ଡ ଲିଜେଣ୍ଡ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି ।