ପୁନେ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ : ମୟଙ୍କ ଅଗ୍ରୱାଲଙ୍କ ପରେ କ୍ୟାପଟେନ କୋହଲିଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର ୨୬ ତମ ଶତକ ହାସଲ କଲେ ବିରାଟ

625

କନକ ବ୍ୟୁରୋ : ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ନୂଆ ରେକର୍ଡ । ପୁନେରେ ଚାଲିଥିବା ଭାତର- ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ୨୬ ତମ ଶତକ କରି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମମ ଉଲ-ହକଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି । ଇଞ୍ଜାମାମ ୨୫ଟି ଶତକ କରି ବିରାଟଙ୍କ ସହ ସମାନ ସ୍ଥାନରେ ରହିଥିଲେ ।

ଏବେ ବିରାଟ ଟେଷ୍ଟ ମ୍ୟାଚରେ ଶତକ ହାସଲକାରୀଙ୍କ ତାଲିକାରେ ୱେଷ୍ଟଇଣ୍ଡିଜର ଗ୍ୟାରୀ ସୋବର୍ସ ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କ ସମାନ ସ୍ଥାନରେ ରହିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି ଟେଷ୍ଟ ମ୍ୟାଚରେ ସର୍ବାଧିକ ୫୧ଟି ଶତକ କରିବାର ରେକର୍ଡ  । ଏହି ଶତକ ସହ ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ କୋହଲି ୪୦ଟି ଶତକ କରିବାର ରେକର୍ଡ କରିଛନ୍ତି ।

୨୦୧୪ରେ ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଦିନିକିଆରେ ୨୧ଟି ଓ ଟେଷ୍ଟରେ ୧୯ଟି ଶତକ ହାସଲ କରିଛନ୍ତି । ରିକି ପଟିଂ ଅଧିନାୟକ ଭାବେ ସର୍ବାଧିକ ୪୧ଟି ଶତକ କରି ବିଶ୍ୱର ୧ ନମ୍ବର ସ୍ଥାନରେ ରହିଛନ୍ତି । ପୁନେରେ ଚାଲିଥିବା  ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ କରିଛନ୍ତି କ୍ୟାପଟେନ୍ କୋହଲି ।