ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ! ସୋସିଆଲ ମିଡିଆରେ ଭାଇରାଲ ହେଲା ନୟାଗଡ କଂଟିଲୋର ଭିଡିଓ

42

କନକ ବ୍ୟୁରୋ: ଦରମା ନ ଦେବାରୁ ଶିକ୍ଷଙ୍କୁ ମାଡ । ନୟାଗଡ ଜିଲ୍ଲା କଂଟିଲୋରେ ଏକ ଘରୋଇ କୋଚିଂ ସେଂଟରରେ ଏଭଳି ଘଟଣା ଘଟିଛି । ଏପରିକି ଶିକ୍ଷକଙ୍କୁ ଗଛରେ ପିଟି ମାଡ ମରାଯିବାର ଭିଡିଓ ଭାଇରାଲ ହୋଇଛି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ଅଭିଯୋଗ ପାଇବା ପରେ ଖଣ୍ଡପଡା ପୋଲିସ ତନାଘନା ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ସ୍ଥାନୀୟ ମାରଡା ଅଂଚଳର ଜଣେ ଇଂରାଜୀ ଶିକ୍ଷକ କଂଟିଲୋ ବାପୁଜୀନଗରରେ ଥିବା ସତ୍ୟସାଇ କୋଟିଂ ସେଂଟରରେ ଅଧ୍ୟାପନା କରନ୍ତି । ତେବେ ଗତ କିଛିଦିନ ତଳେ ସେ ଅନ୍ୟ ଏକ କୋଚିଂ ସେଂଟରକୁ ପଢାଇବାକୁ ଯାଉଥିଲେ । ଏ ନେଇ ସଂପୃକ୍ତ କୋଟିଂ ସେଂଟରର ମାଲିକ ତପନ ମହାପାତ୍ର ଅଧ୍ୟାପକଙ୍କ ଉପରେ ରାଗ ରଖିଥିଲେ ।

ସେପଟେ ଶିକ୍ଷକ ଜଣକ ନିଜ ବକେୟା ପ୍ରାପ୍ୟ ମାଗିଥିଲେ । ଏଥରେ ରାଗ ରଖି ଗତ ୫ ତାରିଖରେ କୋଚିଂ ସେଂଟର ମାଲିକ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ ମାରିଥିଲେ । ପାଟି ବାନ୍ଧିବା ସହ ବେକରେ ଚପଲ ମାଳ ପିନ୍ଧାଇ ଭିଡିଓ ସୁଟିଂ କରିଥିଲେ । ଘଟଣା ନେଇ ପୋଲିସ ତନାଘନା ଆରମ୍ଭ କରିଛନ୍ତି । ଅଭିଯୋଗ ପରେ କୋଚିଂ ସେଂଟର ମାଲିକ ଫେରାର ହୋଇଯାଇଛି ।