ଭୁତ ବେଶରେ କୁନି ଝିଅ, କଟାମୁଣ୍ଡ ଧରି ରାସ୍ତାରେ ଚାଲିଲା : ହାଲୋୱିନ୍ କୁ ଏଭଳି ଭାବେ ପାଳନ କରି ଚର୍ଚ୍ଚାରେ ୨ ବର୍ଷୀୟ ଶିଶୁ । ଭିଡିଓ ହେଲା ଭାଇରାଲ 

ହାଲୋୱିନ୍ ଡେ’ରେ ନିଆରା କଷ୍ଟ୍ୟୁମ ପିନ୍ଧି ସମସ୍ତଙ୍କ ମନ ଜିଣିଲେ ମାୟା

285

ରାସ୍ତାରେ ଏକ ଝିଅ ଚାଲି ଯାଉଥିବା ବେଳେ , ତାକୁ ଯିଏ ଦେଖୁଥାଏ ଭୟରେ ଚିତ୍କାର କରୁଥାଏ । ମାତ୍ର ଏଭଳି କାହିଁକି ହେଉଥିଲା ? ଯଦି କେହି ମଣିଷ ନିଜ କଟା ମୁଣ୍ଡ ହାତରେ ଧରି ଚାଲିବ, ତେବେ ନିଶ୍ଚୟ ଆପଣ ଭୟଭୀତ ହେବେ । ସେହିଭଳି କିଛି ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହିଭଳି ଏକ ଭିଡିଓ ପୋଷ୍ଟ ହୋଇଛି ଯାହା ଭାଇରାଲ ହେବାରେ ଲାଗିଛି ।  କ୍ରିଷ୍ଟଲ୍ ହୱାଙ୍ଗ ୨୮ ଅକ୍ଟୋବର ରାତିରେ ଏହି ଭିଡିଓଟି ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ମାୟା ହୱାଙ୍ଗ ନାମକ ଏକ ୨ ବର୍ଷର ଝିଅ ନିଜ କଟା ହୋଇଥିବା ମୁଣ୍ଡକୁ ଧରି ରାସ୍ତାରେ ଚାଲୁଛି। ମାୟା ସହ ତା’ର ୬ ବର୍ଷର ଭଉଣୀ ମଧ୍ୟ ରହିଛି, ଯିଏ ହାତରେ ଏକ ଛୁରି ଧରିଛି। ଯିଏ ବି ମାୟାକୁ ଏ ଅବସ୍ଥାରେ ଦେଖିଥିଲେ, ଚାହିଁ ରହିଯାଇଥିଲେ ।  ଖାଲି ସେତିକି ନୁହେଁ, ଲୋମହର୍ଷଣକର ଘଟଣା ଦେଖି କିଛି ଦର୍ଶକ ଭୟରେ ଚିତ୍କାର କରି ଘରୁ ବାହାରକୁ ପଳାଉଥିବା କ୍ରିଷ୍ଟଲଙ୍କ ପୋଷ୍ଟରେ ରି-ଟ୍ୱିଟ୍ କରିଛନ୍ତି। ପ୍ରଥମ ଥର ଦେଖିବା ପରେ ତ କେହି ବି ଏପରି ଦୃଶ୍ୟକୁ ସହଜରେ ଗ୍ରହଣ କରିପାରିନଥିଲେ। ହେଲେ ପରେ ଯେତେବେଳେ ସେମାନେ ଭିଡିଓଟିକୁ ଭଲ ଭାବେ ବୁଝିଥିଲେ, ମାୟାଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ।

ପ୍ରକୃତରେ ମାୟା ନିଜ ମୁଣ୍ଡକାଟି ହାତରେ ଧରି ନଥିଲା। ତା’ର କଷ୍ଟ୍ୟୁମ ଏମିତି ତିଆରି ହୋଇଥିଲା ଯେ, ଯିଏ ଦେଖିବ ଭାବିବ ଝିଅଟି ପ୍ରକୃତରେ ନିଜର କଟା ମୁଣ୍ଡକୁ ହାତରେ ଧରି ରାସ୍ତାରେ ବୁଲୁଛି। ଏହି ଡ୍ରେସକୁ ମାୟାର ମା’ କ୍ରିଷ୍ଟଲ୍ ନିଜେ ତିଆରି କରିଥିଲେ। ମାୟାକୁ ନିଜ ସ୍କୁଲରେ ବେଷ୍ଟ କଷ୍ଟ୍ୟୁମର ଆୱାର୍ଡ ମଧ୍ୟ ଦିଆଯାଇଛି।

କ୍ରିଷ୍ଟଲଙ୍କ କହିବା ଅନୁସାରେ ହାଲୋୱିନ୍ ଉତ୍ସବ ପାଳନ ଅବସରରେ ସେ ତାଙ୍କ ପିଲାମାନଙ୍କ ପାଇଁ ଭୟଙ୍କର ଡ୍ରେସ୍ ତିଆରି କରିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ୟୁଟ୍ୟୁବର ସାହାରା ନେଇଥିଲେ। ୟୁଟ୍ୟୁବରେ ଭିଡିଓ ଦେଖି ସେ ମାୟା ପାଇଁ ଏହି କଷ୍ଟ୍ୟୁମ୍ ତିଆରି କରିଥିଲେ। ମାୟାର କଷ୍ଟ୍ୟୁମକୁ ଲୋକେ ଏତେ ପସନ୍ଦ କରିଥିବାରୁ ଓ ସୋଶାଲ୍ ମିଡିଆରେ ଏହା ଭାଇରାଲ ହେଉଥିବାରୁ ସେ ବହୁତ ଖୁସି ଥିବା କ୍ରିଷ୍ଟଲ୍ କହିଛନ୍ତି।

ସୂଚନାଯୋଗ୍ୟ, ୨୭ ଅକ୍ଟୋବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦେଶମାନଙ୍କରେ ହାଲୋୱିନ୍ ନାମକ ଏକ ଉତ୍ସବ ପାଳନ କରାଯାଇଥାଏ। ଏଥିରେ ଲୋକମାନେ ଭୂତ ବେଶରେ ବାହାରି ଲୋକଙ୍କୁ ଡରାଇଥାନ୍ତି। ଏହି ଅବସରରେ ମାୟା ଏହି କଷ୍ଟ୍ୟୁମ୍ ପିନ୍ଧି ସମସ୍ତଙ୍କୁ ଡରାଇ ଦେଇଥିଲେ।