ଜେଏନୟୁରେ ଛାତ୍ର ଅଶାନ୍ତି । ମୁହଁରେ କପଡା ଘୋଡାଇ ଛାତ୍ରଛାତ୍ରୀଙ୍କୁ ପିଟିଲେ ଦୃବୁର୍ତ୍ତ, ରକ୍ତ ଜୁଡୁବୁଡ ଅବସ୍ଥାରେ ଛାତ୍ରସଂଘ ସଭାପତି ଆଇଶି ଘୋଷଙ୍କୁ ହସ୍ପିଟାଲରେ କରାଗଲା ଭର୍ତ୍ତି ।

279

ଅଶାନ୍ତ ହୋଇ ଉଠିଛି ଜେଏନୟୁ । ରବିବାର ସନ୍ଧ୍ୟାରେ ହଷ୍ଟେଲ ଭିତରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି । କିଛି ଯୁବକ ମାନେ ମୁହଁରେ କପଡା ବାନ୍ଧି ଲାଠି-ବାଡି ଧରି ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜେଏନୟୁ ଛାତ୍ରସଂଘ ସଭାପତି ଆଇଶିି ଘୋଷ ଗୁରୁତର ଆହତ ହୋଇଛନ୍ତି । ଆଇଶିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆଇଶିଙ୍କ କହିବା ଅନୁଯାୟୀ. କିଛି ଯୁବକ ମାନେ ମୁହଁରେ ମାସ୍କ ପିନ୍ଧି ଅଚାନକ ଆକ୍ରମଣ କରିଥିଲେ । ଏପରିକି ହଷ୍ଟେଲ ମଧ୍ୟରେ ପଶି ମାଡ ମାରିଥିଲେ । ଏହି ଆକ୍ରମଣରେ ଏବିଭିପିର ହାତ ଅଛି ବୋଲି ଜେଏନୟୁ ଛାତ୍ର ସଂଘ କହିଛି ।

ଅନ୍ୟପଟେ ଏବଭିପି ଅଭିଯୋଗ କରିଛି ଯେ, ଏସଏଫଆଇ, ଆଇସା, ଡିଏସଏଫ ସଙ୍ଗଠନର ଛାତ୍ର ମାନେ ଏବିଭିପି ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଉଭୟ ଛାତ୍ର ସଙ୍ଗଠନ ମଧ୍ୟରେ ହୋଇଥିବା ଆକ୍ରମଣରେ ଏଯାଏଁ ୧୮ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ବେଳେ ୧୧ ଜଣ ଛାତ୍ରଙ୍କର କୌଣସି ଖୋଜଖବର ମିଳୁନାହିଁ ।

ଏହି ଘଟଣା ପରେ ଆହତ ଛାତ୍ର ମାନଙ୍କୁ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଏନୟୁ ପରିସରରେ ୭ଟି ଆମ୍ବୁଲାନ୍ସ ପଠା ଯାଇଥିବା ବେଳେ କ୍ୟାମ୍ପସ ବାହାରେ ପୋଲିସ ମୁତୟନ କରାଯାଇଛି । ଏପରିକି ଜେଏନୟୁର ସମସ୍ତ ଗେଟକୁ ବନ୍ଦ କରି ଦିଆଯାଇଛି । ଜେଏନୟୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ମୁହଁରେ ମାସ୍କ ବାନ୍ଧି କିଛି ଯୁବକ ଅପରାହ୍ନ ୧ଟା ସମୟରେ ସୂଚନା ପ୍ରଣାଳୀ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ବିଜୁଳି ବନ୍ଦ କରିବା ସହ ସର୍ଭର ରୁମରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯେଉଁଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ବାଧା ଉପୁଜିଥିଲା । ତେବେ ବିଶ୍ୱବିଦ୍ୟାଳୟରେ ଏଭଳି କାଣ୍ଡ ଭିଆଇଥିବା ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।