ଆସ୍ଥା ନାଁରେ କରାଯିବନି ହିଂସାକୁ ବରଦାସ୍ତ ! ହରିୟାଣା ଉତ୍ତେଜନାକୁ ନେଇ ମୋଦି କଲେ ମନ୍ କି ବାତ୍

62

କନକ ବ୍ୟୁରୋ : ହରିୟାଣା ହିଂସା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁହଁ ଖୋଲିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଆସ୍ଥା ନାଁରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଆଇନକୁ ହାତକୁ ନେବା ପାଇଁ କାହାକୁ ବି ଅନୁମତି ଦିଆଯାଇନାହିଁ । ଭାରତ ସବୁବେଳେ ଅହିଂସାକୁ ପରମ ଧର୍ମ ବୋଲି ମାନିଛି । ଭାରତ ହେଉଛି ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ । ବାବା ସାହେବଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ଦ୍ୱାରା ତିଆରି କରାଯାଇଥିବା ସମ୍ବିଧାନ ଅନୁସାରେ ହିଁ ଦେଶ ଚାଲିବ । ଏଭଳି ସ୍ଥଳେ ଆଇନରୁ ଉର୍ଦ୍ଧ୍ୱରେ କେହି ନାହାନ୍ତି ।

ପର୍ବପର୍ବାଣି ପ୍ରସଙ୍ଗରେ ମୋଦି କହିଥିଲେ ‘ମିଚ୍ଚାମି ଦୁକ୍କଦମ୍‌’। ଏହା କ୍ଷମା ଏବଂ ସମ୍ବେଦନାର ମୂଲ୍ୟବୋଧ ଅଟେ। ପର୍ବପର୍ବାଣି ସମୟରେ ହିଂସାକାଣ୍ଡର ଖବର ଆସିବା ସ୍ୱାଭାବିକ ଭାବେ ଉଦ୍‌ବେଗର ବିଷୟ। ଇଦ୍‌-ଉଲ୍‌-ଜୋହା ଏବଂ ଓନାମ୍‌ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଗଣେଶ ଚତୁର୍ଥୀ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ, ଲୋକମାନ୍ୟ ତିଳକ ୧୨୫ ବର୍ଷ ତଳୁ ଏହି ପରମ୍ପରା ଆରମ୍ଭ କରିଥିଲେ। ସ୍ୱଚ୍ଛତାକୁ ପର୍ବପର୍ବାଣୀ ସହ ସଂଯୁକ୍ତ କରାଯିବା ଉଚିତ। ପରିବେଶକୁ ଦୃଷ୍ଟିରେ ରଖି ଗଣେଶ ଉତ୍ସବ ପାଳନ କରାଯାଉଥିବାରୁ ମୋଦି ଖୁବ୍‌ ସନ୍ତୋଷ ପ୍ରକାଶ କରିଥିଲେ।

ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମ ‘ବାହ୍ୟ ମଳମୁକ୍ତ’ ବୋଲି ନିଜକୁ ଘୋଷଣା କରିସାରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଜନଆନ୍ଦୋଳନ ସୃଷ୍ଟି କରି ‘ସ୍ୱଚ୍ଛତା ହିଁ ସେବା’କୁ ଆପ୍ତବାକ୍ୟ କରାଯାଉ। ଏଥିପାଇଁ ସଭିଏଁ ସେପ୍ଟେମ୍ବର ୧୫ ତାରିଖରୁ ଉଦ୍ୟମ ଆରମ୍ଭ କରୁନ୍ତୁ।

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ କ୍ରୀଡ଼ାପ୍ରେମୀମାନଙ୍କୁ ମୋଦି ଅଭିନନ୍ଦନ ଜଣାଇବା ସହ ଅଧିକରୁ ଅଧିକ ଖେଳ କାର୍ୟ୍ୟକ୍ରମରେ ଭାଗ ନେବାକୁ କହିଥିଲେ। ତରୁଣମାନେ କମ୍ପ୍ୟୁଟର୍‌ ସ୍କ୍ରିନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଲାଖି ରହୁଛନ୍ତି। ଖେଳକୁଦ କରିବା ନିମନ୍ତେ ସେମାନଙ୍କୁ ପଡ଼ିଆକୁ ପଠାଯିବା ଉଚିତ। ଆସନ୍ତାକାଲି କ୍ରୀଡ଼ା ମନ୍ତ୍ରାଳୟ ‘ସ୍ପୋର୍ଟସ୍‌ ଟାଲେଣ୍ଟ୍‌ ସର୍ଚ ପୋର୍ଟାଲ୍‌’ ଆରମ୍ଭ କରୁଛି ବୋଲି ସେ ସୂଚନା ଦେଇଛନ୍ତ।

ଆଇଏନ୍‌ଏସ୍‌ଭି ତାରିଣୀରେ ଜଳଯାତ୍ରା କରି ବିଶ୍ୱ ପରିକ୍ରମା କରିଥିବା ଭାରତୀୟ ନୌସେନାର ୬ ଜଣ ମହିଳାଙ୍କୁ ମୋଦି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି : ଚାଲୁନ୍ତୁ, ପରିବର୍ତ୍ତନ ପାଇଁ, ଶକ୍ତିଶାଳୀ ହେବା ପାଇଁ ଏବଂ ନେତୃତ୍ୱ ନେବା ପାଇଁ ଶିକ୍ଷା ଦେବାକୁ ଆମେ ଗୁରୁଦିବସରେ ନିୟମ କରିବା।