ଦୁଷ୍କର୍ମ ମାମଲାରେ ଜେଲ ଗଲେ ବାବା ରାମ ରହିମ ! ପଂଜାବ ଓ ହରିୟାଣାରେ ଲାଗିଲା ନିଆଁ ,ସମର୍ଥକଙ୍କ ବ୍ୟାପକ ଲଙ୍କାକାଣ୍ଡ

37

କନକ ବ୍ୟୁରୋ : ବାବା ରାମ ରହିମ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଭିଆଇଛନ୍ତି ବାବାଙ୍କ ସମର୍ଥକ । ଗାଡି ମଟର ପୋଡିବା ସହ ପ୍ରବଳ ପଥର ମାଡ କରିଛନ୍ତି ଡେରା ସମର୍ଥକ । ପଂଜାବ ଓ ହରିୟାଣାର ବିଭିନ୍ନ ସହରରେ କଫ୍ୟୁ ଲଗାଯାଇଛି । ଦିଲ୍ଲୀରେ ହାଇଆଲର୍ଟ କରାଯାଇଛି । ଦୁଇ ରାଜ୍ୟର ପୁଲିସ ସହ ୬୦୦ ଯବାନ ଓ ୧୦ କଂପାନୀ ସିଆଇପିଏଫ୍ ମୂତୟନ କରାଯାଇଛି । ସୁରକ୍ଷାକର୍ମୀ ଓ ରାମ ରହିମଙ୍କ ସଂଘର୍ଷ ଘଟି ୨୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି ।

ପଂଜାବ, ହରିୟାଣା ଏବଂ ଦିଲ୍ଲୀରୁ ଆସୁଛି ଗୋଟିଏ ପରେ ଗୋଟିଏ ହିଂସାର ଖବର । ପଂଜାବ ଓ ହରିୟାଣାର କିଛି ସହର କର୍ଫ୍ୟୁ ଜାରି ହୋଇଥିବା ବେଳେ ଦିଲ୍ଲୀରେ ଜାରି କରାଯାଇଛି ହାଇ ଆଲର୍ଟ । ହରିୟାଣାର ପଂଚକୁଳା ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପୋଡଜଳା ଓ ପଥରମାଡ କରିଛନ୍ତି ଡେରା ସମର୍ଥକ । ସେପଟେ ଉତେଜନା ପ୍ରବଣ ଅଂଚଳକୁ ଘେରି ରହିଛନ୍ତି ସୁରକ୍ଷା କର୍ମୀ । ହରିୟାଣା ଓ ପଂଜାବର ପୁଲିସ ସହ ଅର୍ଦ୍ଧ ସାମରିକ ବାହିନୀ ଏବଂ ସେନାର ଯବାନମାନେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ।

ଭିଡ଼କୁ ଘଉଡାଇବା ପାଇଁ ଲୁହ ବୁହା ଗ୍ୟାସ, ୱାଟର କ୍ୟାନନ୍ ମାଡ କରୁଛନ୍ତି ସୁରକ୍ଷାକର୍ମୀ । ହେଲେ ରାମ ରହିମଙ୍କ ଲକ୍ଷ ଲକ୍ଷ ସମର୍ଥକ ରାସ୍ତାକୁ ଓହ୍ଲାଇ ଆସିଥିବାରୁ ସେମାନଙ୍କୁ ଆୟତ କରିବା ସମ୍ଭବ ହେଉନାହିଁ । ରେଳ ଷ୍ଟେସନ ଓ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି ରାମ ରହିମଙ୍କ ସମର୍ଥକ । ଦିଲ୍ଲୀରେ ମଧ୍ୟ ଦୁଇଟି ବସକୁ ନିଆଁ ଲଗାଇଦେବା ସହ ଆନନ୍ଦବିହାର ରେଳ ଷ୍ଟେସନରେ ଏକ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ପୁଲିସ ଓ ରାମ ରହିମଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ଅନେକ ମୃତାହତ ହୋଇଥିବା ଖବର ଆସୁଛି ।