ରାତି ଅଧରେ ଥାନା ଭିତରେ ଲଙ୍କାକାଣ୍ଡ ! ରାଜଧାନୀରେ ପୋଲିସକୁ ଗୋଡାଇ ଗୋଡାଇ ମାରିଲେ ଦୁବୃର୍ତ୍ତ, ୪ ପୋଲିସ କର୍ମୀ ଆହତ ।

141

କନକ ବ୍ୟୁରୋ : ରାତି ଅଧରେ ସହିଦ ନଗର ଥାନାରେ ଲଙ୍କାକାଣ୍ଡ । ପୋଲିସ ହେପାଜତରେ ଥିବା ଅଭିଯୁକ୍ତଙ୍କୁ ଆକ୍ରମଣରୁ ବଂଚାଇବାକୁ ଯାଇ ଦୁବୃର୍ତଙ୍କ ଆକ୍ରମଣର ଶିକାର ହେଲେ ପୋଲିସ । ଘଟଣା ଏପରି ସ୍ତରକୁ ଯାଇଥିଲା ଯେ ମାରପିଟରେ ଲହୁଲୁହାଣ ହୋଇଥିଲା ପୋଲିସ । ପୋଲିସ କମିଶନର କହିଛନ୍ତି ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଦୋଷୀଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା ।
ପୋଲିସ-ଦୁବୃର୍ତ୍ତ ମୁହାଁମୁହିଁ । ସହିଦ ନଗର ପୋଲିସକୁ ପିଟିଲେ ଦୁବୃର୍ତ୍ତ । ରାତି ଅଧରେ ଘଟିଥିବା ଏହି ଅଭାବନୀୟ କାଣ୍ଡ ପୁଣିଥରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କିଛି ଦୁବୃର୍ତ ପୋଲିସକୁ ଗୋଡାଇ ଗୋଡାଇ ପିଟୁଛନ୍ତି । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁବୃର୍ତ ଅଚାନକ ଆକ୍ରମଣ କରିଥିଲେ । ଆଉ ଏହି ସମୟରେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ସେତିକି ବେଳେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଦୁବୃର୍ତଙ୍କ ମାଡରେ ଆଇଆଇସି ବିରଂଚି ପତି ଓ ଏଏସଆଇ ଏମସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ପୁଲିସ ଗୁରୁତର ଆହତ ହୋଇଛନ୍ତି ।
ଥାନା ଭିତରେ ଗୁଣ୍ଡାରାଜ । ଜବରଦସ୍ତି ପଶିଲେ, ଭଙ୍ଗାରୁଜା କଲେ । କେବଳ ମାରପିଟରେ ସରିନଥିଲା ଦୁବୃର୍ତଙ୍କ ଆକ୍ରୋଶ । ସହିଦ ନଗର ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁବୃର୍ତ । ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍, ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର କରି ଦେଇଥିଲେ ଦୁବୃର୍ତ । ଥାନା ଭିତରକୁ ଢ଼େଲା ପଥର ମଧ୍ୟ ମାଡ କରିଥିଲେ । ପ୍ରାୟ ଅଧଘଂଟାଏ ଧରି ଚାଲିଥିଲା ଲଙ୍କାକାଣ୍ଡ । ପରିସ୍ଥିତି ଅଣାୟତ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ଥାନାରେ ମୁତୟନ କରାଯାଇଥିଲା ତିନି ପ୍ଲାଟୁନ୍ ପୁଲିସ୍ ଫୋର୍ସ । ପୁଲିସକୁ ଆକ୍ରମଣ କରି ଖସି ଯାଉଥିିବାବେଳେ ୬ଜଣଙ୍କୁ ଅଟକ ରଖିଛି ପୁଲିସ୍ । ପୋଲିସ କମିଶନର କହିଛନ୍ତି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି  । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ପରେ ପୁଣିଥରେ ରାଜଧାନୀରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।