ନିର୍ବାଚନ ପାଖଉଛି, ନେତାଙ୍କ ପାଟି ଖସୁଛି ! ୟୁପିରେ ହୋଇଛି ସର୍ବାଧିକ ଆଦର୍ଶ ଆଚରଣ ବିଧି ଉଲଙ୍ଘନ, ସାରା ଦେଶରେ ପଞ୍ଜିକୃତ ହୋଇଛି ୩୨୩ ମାମଲା ।

72

କନକ ବ୍ୟୁରୋ : ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ଆସିଲା ସାଂଘାତିକ ଖବର । ସବୁଠାରୁ ଅଧିକ ଆଦର୍ଶ ଆଚରଣ ବିଧି ଉଂଲଘନ ହୋଇଛି ଉତ୍ତରପ୍ରଦେଶରେ । ଏନେଇ ୟୁପିରେ ୩୪ଟି ମାମଲା ରେକର୍ଡ ହୋଇଛି । ଏପ୍ରିଲ ୧୨ ସୁଦ୍ଧା ସାରା ଦେଶରେ ୩୨୩ ମାମଲା ପଂଜିକୃତ ହୋଇଥିବା ସୂଚନା ମିଳିଛି ।

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ହେଲେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୀତି ନିୟମ ଉଂଲଘନ କରିଥିବା ଅଭିଯୋଗ ହୋଇଛି । ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରିଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅୁନସାରେ, ଏପ୍ରିଲ ୧୨ ତାରିଖ ସୁଦ୍ଧା ସାରା ଦେଶରେ ୩୨୩ଟି ଆଦର୍ଶ ଆଚରଣ ବିଧି ଉଂଲଘନ ମାମଲା ପଂଜିକୃତ ହୋଇଛି । ଏଥିରେ ଶୀର୍ଷରେ ରହିଛି ଉତ୍ତରପ୍ରଦେଶ । ୟୁପିରେ ମୋଟ ୭୪ଟି ମାମଲା ରେକର୍ଡ କରାଯାଇଥିବା ବେଳେ କେବଳ ଗୋଟିଏ ମାମଲାର ସମାଧାନ ହୋଇଛି । ଏହା ପଛକୁ ରହିଛି ଜମ୍ମୁ କାଶ୍ମୀର ।

ଏବେ ନଜର ପକାଇବା ନେତା ମାନେ କିପରି ବିବାଦୀୟ ମନ୍ତବ୍ୟ ଦେଇ ଆଚରଣ ବିଧିର ଉଲ୍ଲଙ୍ଘନ କରିଛନ୍ତି । ବାରମ୍ବାର ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଆସୁଥିବା ଯୋଗୀଙ୍କ ଭାଷଣକୁ ନେଇ ପୁଣି ବଡ ବିବାଦ । ଯୋଗୀ ଆଦିତ୍ୟନାଥ ଗତ ବୁଧବାର ମେରଠରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ କଂଗ୍ରେସ-ଏସପି-ବିଏସପିକୁ ଅଲ୍ଲିଙ୍କ ଉପରେ ବିଶ୍ୱାସ ଥିଲେ ବିଜେପିକୁ ବଜରଙ୍ଗବଲିଙ୍କ ଉପରେ ବିଶ୍ୱାସ ରହିଛି ।

ଅଲ୍ଲି-ବଜରଙ୍ଗବଲିଙ୍କୁ ନେଇ ଏଭଳି ବିବାଦୀୟ ବୟାନ ରଖିବା ପରେ ଯୋଗୀଙ୍କୁ ନୋଟିସ କରିଛନ୍ତି ନିର୍ବାଚନ କମିଶନ୍ । ଯୋଗୀଙ୍କ ବିବାଦୀୟ ବୟାନ ପରେ ଆଗକୁ ଆସିଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ । ରାମପୁରରୁ ସମାଜବାଦୀ ପାର୍ଟି ଟିକେଟରେ ଲଢୁଥିବା ଆଜମ୍ ଖାନ୍ ମହାପ୍ରଭୁ ହନୁମାନଙ୍କ ନୂଆ ନାଁ ଦେଇଛନ୍ତି । ଆଜମ ଖାନ କହିଛନ୍ତି ହନୁମାନଙ୍କ ନୂଆ ନାଁ ବଜରଙ୍ଗ ଅଲ୍ଲି ।

ନିର୍ବାଚନୀ ଭାଷଣରେ ଖୋଲା ଧମକ ଦେଇ ବିବାଦରେ ଫସିଗଲେ ମାନେକା ଗାନ୍ଧି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏବେ ନୋଟିସ କରିଛନ୍ତି ନିର୍ବାଚନ କମିସନ । ଉତ୍ତର ପ୍ରଦେଶ ସୁଲତାନପୁରର ଏକ ମୁସଲମାନ ବହୁଳ ଅଂଚଳରେ ପ୍ରଚାର କରୁଥିବା ବେଳେ ମାନେକା ଗାନ୍ଧି ସିଧା ସିଧା କହୁଛନ୍ତି – ଏ ହାତରେ ନିଅ, ସେ ହାତରେ ଦିଅ । ଭୋଟ ଦିଅ ନହେଲେ ଅଭିଶାପ ଭୋଗିବ । ଏପରି କହି ଏବେ ଅଡୁଆରେ ବିଜେପି ନେତା ସାକ୍ଷୀ ମହାରାଜ । ଭୋଟରଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ସାକ୍ଷୀ ମହାରାଜ ୟୁପିର ଶେଖପୁର ଗାଁରେ ନିର୍ବାଚନୀ ପ୍ରଚାର କରୁଥିବାବେଳେ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ । ସେ ଜଣେ ସନ୍ନ୍ୟାସୀ ଏବଂ ଜଣେ ସନ୍ନ୍ୟାସୀ ଯେତେବେଳେ ଭିକ୍ଷା ମାଗନ୍ତି ଆଉ ନମିଳେ ତାହେଲେ ପାପ ଦେଇ ସେ ସବୁ ପୁଣ୍ୟ ନେଇଯାଆନ୍ତି ବୋଲି କହିଥିଲେ । ସାକ୍ଷୀ ମହାରାଜ ୟୁପି ଉନ୍ନାଓରୁ ବିଜେପି ପ୍ରାର୍ଥୀ ଅଛନ୍ତି ।