ବୁର୍ଲାରେ ଗୁରୁତର ହେଉଛି ଡକ୍ଟର-ଡାଇରେକ୍ଟର ବିବାଦ ! ଆପୋଷ ବୁଝାମଣା ପାଇଁ ଆଲୋଚନା ବିଫଳ

22

କନକ ବ୍ୟୁରୋ: ବୁର୍ଲା ମେଡିକାଲରେ ଘନଉଛି ଡାକ୍ତର-ଡାଇରେକ୍ଟର ବିବାଦ । ବିବାଦର ଆପୋଷ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଆଲୋଚନା ବିଫଳ ହୋଇଛି । ଆନ୍ଦୋଳନରତ ଡାକ୍ତରୀ ପିଜି ଛାତ୍ର ନିର୍ଦ୍ଦେଶକଙ୍କ ନିଲମ୍ବନ ଜିଦରେ ଅଟଳ ରହିଛନ୍ତି । ଏହି ଆଲୋଚନାରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ଏସପି ସାମିଲ ହୋଇଥିଲେ ।

ଅନ୍ୟପଟେ ନିର୍ଦ୍ଦେଶକଙ୍କ ସମର୍ଥନରେ ବାହାରିଛନ୍ତି ବୁର୍ଲାବାସୀ । ସେପଟେ ଆନ୍ଦୋଳନରତ ଛାତ୍ର ସେମାନଙ୍କ ଜିଦରେ ଅଟଳ ଅଛନ୍ତି । ନିର୍ଦ୍ଦେଶକଙ୍କୁ ଅନ୍ୟତ୍ର ସ୍ଥାନ୍ତାନ୍ତର ପାଇଁ ଛାତ୍ରମାନେ ଜିଦରେ ଅଟଳ ଅଛନ୍ତି । ଫଳରେ ଅଚଳାବସ୍ଥା ଜାରି ରହିଛି । ତେବେ ଆଜି ସାଧାରଣ ପରିଷଦ ବୈଠକରେ ସମାଧାନର ବାଟ ବାହାରିବା ଆଶା କରାଯାଉଛି । ଗତ ମାସରେ ଡ୍ୟୁଟି ଆୱାରରେ ଘରୋଇ ଡାକ୍ତରଖାନାରେ ରୋଗୀ ଦେଖୁଥିବା ଦୁଇ ଜଣ ଡାକ୍ତରଙ୍କୁ ଷ୍ଟିଙ୍ଗ୍ ଅପରେସନରେ ଧରିଥିଲେ ଭିମସାର ଡାଇରେକ୍ଟର । ଯେଉଁଠୁ ଆରମ୍ଭ ହୋଇଥିଲା ବିବାଦ ।

ସେପଟେ ଭିମସାର ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛି ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ । ଯଥାଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ବିଶୃଙ୍ଖଳା କରୁଥିବା ବ୍ୟକିଙ୍କ ବିରୋଧରେ ଠୋସ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି । ନିର୍ଦ୍ଦେଶକଙ୍କୁ ହଟାଗଲେ ଭିମସାରରେ ଶାନ୍ତି ଫେରିବ ବୋଲି ଓମସା କହିଛି ।

ଏପଟେ ବୁର୍ଲାରେ  ଡାକ୍ତର-ଡାଇରେକ୍ଟର ବିବାଦ ନେଇ କଡା ଆଭିମୁଖ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରତାପ ଜେନା କହିଛନ୍ତି ଡାକ୍ତରୀ ଛାତ୍ର ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ । ପରେ ସେମାନଙ୍କ ଦାବି ବାବଦରେ ଆଲୋଚନା କରାଯିବ । ତେବେ ଆନ୍ଦୋଳନ ନହଟିବା ଯାଏଁ କୌଣସି ପ୍ରକାର ଆଲୋଚନା କରାଯିବା ସମ୍ଭବ ନୁହିଁ ।