ଭିମସାରରେ ଅଚଳାବସ୍ଥା ! ପିଜି ଛାତ୍ରଙ୍କ ସମର୍ଥନରେ କଳାବ୍ୟାଜ୍ ପରିଧାନ କଲେ କଟକ ବଡ଼ମେଡିକାଲର ଛାତ୍ରଛାତ୍ରୀ

17

କନକ ବ୍ୟୁରୋ: ବୁର୍ଲା ଡାକ୍ତରୀ ଛାତ୍ର ପ୍ରତିବାଦକୁ ସମର୍ଥନ ଜଣାଇଲା ଏସସିବି ପିଜି ଡାକ୍ତରୀ ସଂଘ । ଆଜି କଟକ ଏସସିବିରେ ଜୁନିୟର ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥିସହିତ ବୁର୍ଲା ଥାନାରେ ପିଜି ଛାତ୍ରଙ୍କ ବିରୋଧରେ କରାଯାଇଥିବା ମାମଲାକୁ ନିସର୍ତ୍ତରେ ପ୍ରତ୍ୟାହାର କରାଯାଉ ବୋଲି କଟକ ବଡ଼ମେଡିକାଲର ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଏସସିବି ଜୁନିୟର ଡାକ୍ତରୀ ସଂଘ । ଆଜି ସଂଧ୍ୟାରେ ଏନେଇ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକରେ ଏହି ଘଟଣା ନେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ଅନ୍ୟପଟେ, ଭିମସାରରେ ଅଚଳାବସ୍ଥା ଜାରି ରହିଛି । ଆଜି ବୁର୍ଲାବାସୀ ୧୨ଘଂଟିଆ ବନ୍ଦ ପାଳନ କରୁଛନ୍ତି । ବିଭିନ୍ନ ଛାତ୍ରମାନଙ୍କୁ ଗିରଫ ଓ ବହିଷ୍କାର ଦାବିରେ ସ୍ଥାନୀୟ ନାଗରିକଙ୍କ ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ବି ସମର୍ଥନ କରିଛନ୍ତି । ସେପଟେ ବୁର୍ଲାମେଡିକାଲ ଛାତ୍ରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଭିମସାର ନିର୍ଦ୍ଦେଶକ ଓ ପିଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ପୋଲିସ ସୁରକ୍ଷା ଯୋଗାଇଦେବା ସହ ଭିମସାର ଅଧ୍ୟକ୍ଷ ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ମେଡିକାଲ୍ ଛାତ୍ର ଦାବି କରିଥିଲେ ।

ତେବେ ଆଲୋଚନା ପରେ ମଧ୍ୟ ବିବାଦ ସମାଧାନର କୌଣସି ସୂତ୍ର ବାହାରିପାରିନାହିଁ । ସ୍ୱାସ୍ଥ୍ୟସେବା ବନ୍ଦ କରିବା ସହ କଲେଜ ମୁଖ୍ୟ ଫାଟକରେ ଛାତ୍ରମାନେ ଧାରଣାରେ ବସିଛନ୍ତି । ଭିମସାର ଅଧ୍ୟକ୍ଷଙ୍କ ଘର ଉପରକୁ ପଥରମାଡ଼ କରିଥିବା ଅଭିଯୁକ୍ତ ପିଜି ଡାକ୍ତରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବୁର୍ଲା ବାସୀ । ସେପଟେ ନିର୍ଦ୍ଦେଶକ ମଧ୍ୟ ବିଭାଗୀୟ ମୁଖ୍ୟଙ୍କ ବୈଠକ ଡାକି ସମାଧାନ ପାଇଁ ୩ ଟି ଫର୍ମୁଲା ଦେଇଥିଲେ । ସେହିପରି ଅଘଟଣ ଆଶଙ୍କାରେ ଭିମସାର କଲେଜ, ମେଡିକାଲ ଓ ହଷ୍ଟେଲକୁ ପୁଲିସ ଛାଉଣୀ କରାଯାଇଛି ।

ନିର୍ଦ୍ଦେଶକ ଅଶ୍ୱିନୀ ପୂଝାରୀଙ୍କ ଘର ଆଗରେ ମଧ୍ୟ ୮ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ଏହାରି ଭିତରେ ରୋଗୀ ସଂପର୍କୀୟଙ୍କୁ ମାଡ ମାରିବା ବେଳର ସିସିଟିଭି ଫୁଟେଜର ହାର୍ଡଡିସ୍କ ଜବତ କରିଛି ପୁଲିସ । ଭିଡିଓ ଫୁଟେଜ୍ ଡିଲିଟ ହୋଇଥିବାରୁ ରାଜ୍ୟବାହାରକୁ ହାର୍ଡଡିସ୍କ ପଠାଯାଇଛି । ଏଭଳି ବିବାଦ ମଧ୍ୟରେ ଆଜି ବୁର୍ଲାକୁ ପିସିଆଇ ପ୍ରତିନିଧି ଦଳ ଆସୁଥିବା ଜଣାପଡିଛି ।