ଭିମସାର ଡାକ୍ତରୀ ଛାତ୍ରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିରୋଧ ! ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାଙ୍କ ୧୨ ଘଂଟିଆ ବୁର୍ଲା ବନ୍ଦ ଡାକରା

41

କନକ ବ୍ୟୁରୋ : ଭିମସାରରେ ଅଚଳାବସ୍ଥା ଜାରି ରହିଛି । ଆଜି ବୁର୍ଲାବନ୍ଦ ଡାକରା ଦେଇଛନ୍ତି ବୁର୍ଲାବାସୀ । ବିଭିନ୍ନ ଛାତ୍ରମାନଙ୍କୁ ଗିରଫ ଓ ବହିଷ୍କାର ଦାବିରେ ସ୍ଥାନୀୟ ନାଗରିକ ଦେଇଥିବା ବୁର୍ଲାବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ବି ସମର୍ଥନ କରିଛନ୍ତି । ସେପଟେ ବୁର୍ଲାମେଡିକାଲ ଛାତ୍ରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ପୋଲିସ ସୁରକ୍ଷା ଯୋଗାଇଦେବା ସହ ଭିମସାର ଅଧ୍ୟକ୍ଷ ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ମେଡିକାଲ୍ ଛାତ୍ର ଦାବି କରିଛନ୍ତି । ସ୍ୱାସ୍ଥ୍ୟସେବା ବନ୍ଦ କରିବା ସହ କଲେଜ୍ ମୁଖ୍ୟ ଫାଟକରେ ଛାତ୍ରମାନେ ଧାରଣାରେ ବସିଛନ୍ତି ।

ଭିମସାର ଅଧ୍ୟକ୍ଷଙ୍କ ଘର ଉପରକୁ ପଥରମାଡ କରିଥିବା ଅଭିଯୁକ୍ତ ପିଜି ଡାକ୍ତରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ସେପଟେ ନିର୍ଦ୍ଦେଶକ ମଧ୍ୟ ବିଭାଗୀୟ ମୁଖ୍ୟଙ୍କ ବୈଠକ ଡାକି ସମାଧାନ ପାଇଁ ୩ ଟି ଫର୍ମୁଲା ଦେଇଥିବା ଜଣାପଡିଛି । ଅନ୍ୟପଟେ ଅଘଟଣ ଆଶଙ୍କାରେ ଭିମସାର କଲେଜ, ମେଡିକାଲ ଓ ହଷ୍ଟେଲକୁ ପୁଲିସ ଛାଉଣୀ କରାଯାଇଛି । ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଘର ଆଗରେ ମଧ୍ୟ ୮ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ଏହାରି ଭିତରେ ରୋଗୀ ସଂପର୍କୀୟଙ୍କୁ ମାଡ ମାରିବା ବେଳର ସିସିଟିଭି ଫୁଟେଜର ହାର୍ଡଡିସ୍କ ଜବତ କରିଛି ପୁଲିସ । ଭିଡିଓ ଫୁଟେଜ ଡିଲିଟ ହୋଇଥିବାରୁ ରାଜ୍ୟବାହାରକୁ ହାର୍ଡଡିସ୍କ ପଠାଯାଇଛି । ଏଭଳି ବିବାଦ ମଧ୍ୟରେ ଆଜି ବୁର୍ଲାକୁ ପିସିଆଇ ପ୍ରତିନିଧି ଦଳ ଆସୁଥିବା ଜଣାପଡିଛି ।