ଭୁଲ ଇଂଜେକସନ ଲାଗି ମୁହଁ ପଚିବା ଘଟଣା : ଘରୋଇ ମେଡିକାଲରେ ହେଲା ଅସ୍ତ୍ରୋପଚାର, ୨ ଦିନ ପରେ ହେବ ପ୍ଲାଷ୍ଟିକ ସର୍ଜରି  

376

କନକ ବ୍ୟୁରୋ : ବୁର୍ଲା ବଡ଼ ଡାକ୍ତରଖାନାରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍ ଦେବା କାରଣରୁ ମୁହଁ ପଚି ଯାଇଥିବା ଯୁବତୀଙ୍କ କଳିଙ୍ଗ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି। ମୁହଁର ୪ଟି ସ୍ଥାନରେ ଡାକ୍ତର ଅସ୍ତ୍ରୋପଚାର କରିଛନ୍ତି। ‌ଯେଉଁ ସ୍ଥାନ ପଚି ଯାଇଥିଲା ସେସବୁ ସ୍ଥାନରୁ ମୃତ ଟିସୁଗୁଡ଼ିକୁ କାଢ଼ି ଦିଆଯାଇଛି। ତେବେ ଆସନ୍ତା ୨/୩ଦିନ ଭିତରେ ତାଙ୍କ ମୁହଁରେ ପ୍ଲାଷ୍ଟିକ୍ ସର୍ଜରି କରାଯିବ ବୋଲି କଳିଙ୍ଗ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ବୁର୍ଲା ଡାକ୍ତରଖାନାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଯୁବତୀଙ୍କ ମୁହଁ ପଚି ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଯୁବତୀଙ୍କ ତଳ ଓଠ ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ବେଳେ ଧୀରେ ଧୀରେ ଏହା ନାକ ପର୍ଯ୍ୟନ୍ତ ସଂକ୍ରମିତ ହେବାକୁ ବସିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଭିମସାର୍‌ କର୍ତୃପକ୍ଷ ସଂପୃକ୍ତ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ପ୍ଲାଷ୍ଟିକ ସର୍ଜରି କରିବା ପାଇଁ ସ୍ଥାନାନ୍ତର କରିଥିଲେ। ତେବେ ଭିମସାର୍‌ ଡାକ୍ତରଙ୍କ ଏଭଳି ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ଯିବା ପାଇଁ ଯୁବତୀଙ୍କ ପରିବାର ଲୋକ ସମ୍ବଳ ଜୁଟାଇ ପାରି ନ ଥିଲେ। ଶେଷରେ ଯୁବତୀଙ୍କ ପରିବାର ଲୋକ ଦୁଇଦିନ ତଳେ ତାଙ୍କୁ କଳିଙ୍ଗ ହସ୍ପିଟାଲରେ ଭର୍ତି କରିଥିଲେ।