ସରକାରୀ ଚାକିରିରୁ ଇସ୍ତଫା ଦେଲେ ଡକ୍ତର ଅଶ୍ୱିନୀ ପୂଜାହାରୀ ! ଲୁଣ ଚିକିତ୍ସା ନେଇ ବିବାଦରେ ଥିଲେ ଭିସମାରର ନିର୍ଦ୍ଦେଶକ

426

କନକ ବ୍ୟୁରୋ : ଚାକିରିରୁ ଇସ୍ତଫା ଦେଲେ ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ଲୁଣ ଚିକିତ୍ସାକୁ ନେଇ ବେଶ କିଛି ଦିନ ବିବାଦରେ ଥିଲେ ଭିସମାରର ନିର୍ଦ୍ଦେଶକ । ରାଜ୍ୟପାଳଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ଇସ୍ତଫା ପତ୍ରରେ ଅଶ୍ୱିନୀ ଲେଖିଛନ୍ତି, ଇସ୍ତଫା ବ୍ୟତୀତ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ବସିବା ଅପେକ୍ଷା ଇସ୍ତଫା ଦେବା ଉଚିତ ମଣିଲି । ସରକାରଙ୍କୁ ୩/୪ ଥର ଚିଠି ଦେଇଥିଲେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ମିଳିନଥିଲା । ଆଜି ଇସ୍ତଫା ଦେଇଛି, ସୋମବାର ଠାରୁ ଘର ଛାଡ଼ି ଦେବି । ଏହି କଲେଜରେ ପାଠ ପଢ଼ିଥିବାରୁ ସୁଧାର ପାଇଁ ଏହି କଲେଜକୁ ଆସିଥିଲା ।

ମୁଁ ଏଠାକୁ ଆସିବା ପରେ ଲୋକଙ୍କର ଅସୁବିଧା ହେଲା । ପିଲାଙ୍କର କ୍ଲାସ୍ ଠିକରେ ହେଉ ନଥିଲା । ମୁଁ ଆସିବା ପରେ ଠିକରେ କ୍ଲାସ ହେଲା । କର୍ମଚାରୀମାନେ ସବୁବେଳେ ବିଳମ୍ବରେ କ୍ଲାସକୁ ଆସୁଥିଲେ । ଆଉ ସେଥିପାଇଁ ମୁଁ କ୍ଲାସ ଆରମ୍ଭ ହେବା ପୂର୍ବରୁ ୧୫ ମିନିଟ୍ କ୍ଲାସରେ ବସୁଥିଲି । ଡାକ୍ତରଙ୍କ ସହ ପିଜି ଷ୍ଟୁଡ଼େଂଟମାନେ ମଧ୍ୟ ବିଳମ୍ବରେ ଆସୁଥିଲେ । ଏହାବ୍ୟତୀତ ନର୍ସମାନେ ଡ୍ୟୁଟି ସମୟରେ ବେସରକାରୀ ଭାବେ ତଥା ନର୍ସିିଂହୋମରେ କାମ କରୁଥିଲେ । ଏଥିପାଇଁ ମୁଁ ବାରମ୍ବାର ବିରୋଧ କରିଛି । ମୁୁଁ ଆସିବା ପରେ ଅଧିକ ସଂଖ୍ୟାରେ ରୋଗୀ ଆସିଲେ । ହସ୍ପିଟାଲ ପରିସରର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଉଥିଲି । ଆଉ ସେଥିପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିଲା । ଏହାବ୍ୟତୀତ ସେ କହିଛନ୍ତି, ରାଜନୀତିରେ ଯୋଗଦେବି କି ନାହିଁ ଏବେ କିଛି ଚିନ୍ତାକରିନାହିଁ ।

ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ଅଶ୍ୱିନ ପୂଜାହାରୀ ଚାକିରି ଛାଡ଼ିିବା ପାଇଁ ଧମକ ଦେଇଥିଲେ । କ୍ୟାନସରର ଉପଚାର ପାଇଁ ଲୁଣ ଲେମ୍ବୁ ଚିକିତ୍ସା କରୁଥିବା ଭିମସାର ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା । ଆଉ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଅନୁସନ୍ଧାନ ଚାଲିଥିଲା । ଜାନୁଆରୀ ୩୧ତାରିଖ ସୁଦ୍ଧା ଯଦି ତାଙ୍କ ବାବଦରେ କୌଣସି ନିଷ୍ପତି ନିଆନଯାଏ, ଚାକିରି ଛାଡ଼ିବେବେ ବୋଲି କହିଥିଲେ । ତାଙ୍କ ପାଖରେ ଅନେକ ବିକଳ୍ପ ରହିଥିବା ସେ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ସମ୍ବଲପୁର ଭିମସାର ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କ ଲୁଣ ଚିକିତ୍ସା ପଦ୍ଧତିକୁ ନେଇ ବିବାଦ ଦେଖାଦେଇଥିଲା । କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରୁଥିବାରୁ ବିବାଦ ଘେରକୁ ଆସିଥିଲେ ଭିମସାର ନିର୍ଦ୍ଦେଶକ । ଆଉ ସେଥିପାଇଁ ତାଙ୍କୁ ଛୁଟିରେ ପଠାଯାଇଥିଲା । ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବଡ ବିବାଦ ମୁଣ୍ଡ ଟେକିଥିଲା ।