ରାସ୍ତାରେ କଟିଲା ରାତି ! ଖଣ୍ଡପଡ଼ାରେ ନିର୍ଦ୍ଦୋଷକୁ ଗରିଫ ପ୍ରତିବାଦରେ ରାତି ସାରା ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ

35

କନକ ବ୍ୟୁରୋ : ରାସ୍ତାରେ ରାତି ପାହିଲା । ଗତକାଲି ସନ୍ଧ୍ୟାରୁ ଖଣ୍ଡପଡା ଥାନା ଆଗରେ ଧାରଣା ଦେଇଥିବା ବୋଦସା ଗ୍ରାମବାସୀ ରାସ୍ତାରେ କଟାଇଛନ୍ତି ପୂରା ରାତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏମିତି ରାସ୍ତା ଉପରେ ବସି ରହିବେ ବୋଲି କହିଛନ୍ତି ଗ୍ରାମବାସୀ । ଗତ ୧୬ ତାରିଖରେ ମନ୍ଦିରକୁ ନେଇ ନୟାଗଡ ଜିଲ୍ଲା ବୋଦସାରେ ଗୋଷ୍ଠି ସଂଘର୍ଷ ହୋଇଥିଲା । ଏଥିରେ ଗାଁର ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀର କିଛି ଲୋକଙ୍କ ଘର ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ । ଏ ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଖଣ୍ଡପଡା ପୋଲିସ ୨ ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଗତକାଲି ଗାଁର ଜଣେ ମୁଖିଆଙ୍କ ସହ ଅନ୍ୟ ୧୨ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହାର ପ୍ରତିବାଦରେ ସନ୍ଧ୍ୟାରେ ଶହଶହ ସଂଖ୍ୟାରେ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଥିଲେ । ସୁରକ୍ଷାକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ ପ୍ଳାଟୁନ ଫୋର୍ସ ସହ ଜିଲ୍ଲାର ଅନ୍ୟ କିଛି ଥାନାରୁ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ଦ୍ଦୋଷକୁ ନ ଛାଡ଼ିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ ହେବ ବୋଲି ଗ୍ରାମବାସୀ କହିଛନ୍ତି ।