ଗାଁ କମିଟିର ଜୁଲମ୍ ପରେ ଜଙ୍ଗଲରେ ବିତୁଛି ଜୀବନ । କଙ୍ଗାରୁ କୋର୍ଟର ଦଣ୍ଡ ଭୋଗୁଛନ୍ତି ୧୨ଟି ହରିଜନ ପରିବାର, ଦୁଃଖ ବୁଝୁନି ପ୍ରଶାସନ ।

155

କନକ ବ୍ୟୁରୋ : ଜମି ଜବରଦଖଲ ଅଭିଯୋଗରେ ଦଣ୍ଡ ଦେଇଛି କଂଗାରୁ କୋର୍ଟ । ଗାଁ କମିଟିର କଙ୍ଗାରୁ କୋର୍ଟରେ ଦଣ୍ଡ ବିଧାନ ପରେ ୩ ବର୍ଷ ୪ ମାସ ହେବ ଗାଁ ଛାଡି ଜଙ୍ଗଲରେ ବିତୁଛି ଜୀବନ । କଡା ଆଇନ୍ ସତ୍ୱେ ଗାଁ ଗହଳିରେ ଏବେ ବି କଙ୍ଗାରୁ କୋର୍ଟ ଚାଲିଥିବା ଖବର ଆସିଛି ଢେଙ୍କାନାଳ ସଦର ବ୍ଲକ କଙ୍କଡାହାଡ ଗାଁର ପାତୁଆବୋଲ ସାହିରୁ ।

କଙ୍କଡାହାଡ ଗାଁର ପାତୁଆବୋଲ ସାହିର ହରିଜନ ବସ୍ତି । ବସ୍ତିର ୩୨ଟି ପରିବାର ପୁରୁଷ ପୁରୁଷ ଧରି ୫୨ ଏକର ଜମିରେ କାଜୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ସେହି ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ସେମାନଙ୍କ ଜମି ହଡପ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଗାଁ କମିଟିକୁ ହାତ କରି ବସ୍ତିବାସିନ୍ଦାଙ୍କୁ ସେଠାରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ୩୩ ହରିଜନ ପରିବାର ମଧ୍ୟରୁ ନିଆଁ ପାଣି ବାଛନ୍ଦ ଭୟରେ ୨୦ଟି ପରିବାର ସେମାନଙ୍କ ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛନ୍ତି । ଏବେ ଆଉ ୧୨ଟି ପରିବାର ନିଜ ଜମିକୁ ଗ୍ରାମାବାସୀଙ୍କୁ ନଦେଇ କଙ୍ଗାରୁ କୋର୍ଟର ଦଣ୍ଡ ଭୋଗୁଛନ୍ତି । ଗାଁ କମିଟି ନିଆଁପାଣି ବାସନ୍ଦ କରିବା ପରେ ଗାଁ ଛାଡି ବଣ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ଆଶ୍ରୟ ନେଉଛନ୍ତି ପୀଡିତ ପରିବାର ।

ଭଙ୍ଗା ଦଦରା କୁଡିଆ କରି ୪୦ ମାସ ହେବ ଜଙ୍ଗଲରେ ରହୁଥିବା ପରିବାରର କୁନି କୁନି ପିଲାଙ୍କ ଆହର ପାଲଟିଛି ଜଙ୍ଗଲି ବେଲ ଆଉ କେନ୍ଦୁ । କଙ୍ଗାରୁ କୋର୍ଟର ଦଣ୍ଡ ନେଇ ନିରାଶ୍ରୟ ହରିଜନମାନେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ନିକଟରେ ଗୁହାରି କଲେ ବି ନ୍ୟାୟ ନମିଳିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ପରିବାର । ସେପଟେ ଏହି ଜମି ବିବାଦର ସମାଧାନ ପାଇଁ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିଛି ଜିଲ୍ଲା ପ୍ରଶାସନ ।