ନିଯୁକ୍ତି ପ୍ରତିଶୃତି ଦେଇ ହାତେଇ ନେଲେ ଜମି ! ବାପ ଅଜା ଅମଳର ଭିଟାମାଟି ହରାଇ ମାସ ମାସ ଧରି କମ୍ପାନୀ ଆଗରେ ଧାରଣାରେ ବସିଛନ୍ତି କେନ୍ଦୁଝର ବସନ୍ତପୁରର ଗାଁଲୋକେ

କେନ୍ଦୁଝରର ପ୍ରୋ-ମିନେରାଲସ୍ କମ୍ପାନୀ ଆଗରେ ୩ଟି ପଂଚାୟତର ଲୋକଙ୍କ ଧାରଣା; ଖରା-ବର୍ଷା-ଶୀତରେ ଶହଶହ ଜମିହରାଙ୍କ ଧାରଣା ଜାରି

306

କନକ ବ୍ୟୁରୋ: କମ୍ପାନୀ ପ୍ରତିଷ୍ଠା ବେଳେ ନିଯୁକ୍ତି ପ୍ରତିଶୃତି ଦେଇ ହାତେଇ ନେଲେ ଜମି । ହେଲେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ବାପ ଅଜା ଅମଳର ଭିଟାମାଟି ହରାଇଲେ,ହେଲେ ନିଯୁକ୍ତି ମିଳିଲାନି । ମାସ ମାସ ଧରି କମ୍ପାନୀ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ଗ୍ରାମବାସୀ । କିନ୍ତୁ କେହି କର୍ଣ୍ଣପାତ କରୁନାହାଁନ୍ତି । ଚୋରା ଖଣିଜ କାରବାର ବିବାଦରେ ବି ଛନ୍ଧି ହୋଇପଡିଛିି ପ୍ରୋ ମିନେରାଲ୍ସ । କମ୍ପାନୀ ପରିସରରୁ ଆଇରନ୍ କଂଚାମାଲ୍ ଚୋରୀ ସତ୍ୱେ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ । ସେପଟେ ଜଙ୍ଗଲ କାଟି କମ୍ପାନୀ ବିଦ୍ୟୁତ୍ ସଂଯୋଗ କରିଥିବା ବିବାଦରେ ବନବିଭାଗ ନୋଟିସ ଜାରୀ କରିଛି ।

କମ୍ପାନୀ ଆଗରେ ଧାରଣା । ପ୍ରୋ-ମିନେରାଲ୍ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି କେନ୍ଦୁଝର ଝୁମ୍ପୁରା ବ୍ଲକ ବସନ୍ତପୁର ଗ୍ରାମବାସୀ । ବର୍ଷା-ଶୀତକୁ ଖାତିର ନାହିଁ । ଟେଂଟ ଭିତରେ ଜଳୁଛି କାଠଗଣ୍ଡି । ଯାହା, ପାହାଡି ଅଂଚଳରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁଁ ଏକମାତ୍ର ଉପାୟ । କମ୍ପାନୀ ପ୍ରତିଷ୍ଠା ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ବସନ୍ତପୁର, କାଳିମାଟି ଓ ନୟାଗଡ଼ ୩ଟି ପଂଚାୟତର ଲୋକେ ଧାରଣାରେ ବସିଛନ୍ତି । ନିଯୁକ୍ତି ପ୍ରତିଶ୍ରୁତି ଦେଇ ଲୋକଙ୍କର ଜମି କିଣି ନେଲା କମ୍ପାନୀ । ୨୦୦୬ରୁ କମ୍ପାନୀ ପ୍ରତିଷ୍ଠା ହୋଇଛି, ହେଲେ ଏଯାଏଁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳି ନଥିବା ଅଭିଯୋଗ ହୋଇଛି ।

ପ୍ରଥମେ ହରି ମେସିନ୍, ପରେ ପ୍ରୋ-ମିନେରାଲ୍ ଓ ଏବେ ଆଦିତ୍ୟ ବିରଲା ଦ୍ୱାରା ପରିଚାଳିତ ଏହି କମ୍ପାନୀ ପରିସରରୁ ୧୦ହଜାର ଟନରୁ ଅଧିକ ଆଇରନ୍ କଂଚାମାଲ୍ ଗାୟବ ମଧ୍ୟ ହୋଇଗଲା । ଏଥିପାଇଁ କେବଳ କମ୍ପାନୀର ଲାଇସେନସ୍ ରଦ୍ଧ କରି ଚୁପ୍ ବସିଛନ୍ତି ଯୋଡା ଖଣି ଉପନିର୍ଦ୍ଦେଶକ । ଏଯାଏଁ କାହିଁକି କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇନାହିଁ ବୋଲି ପ୍ରଶ୍ନ କରିବା ସହ ଦାୟୀ କର୍ତୃପକ୍ଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନସ୍ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ସେତିକି ନୁହେଁ, ବ୍ୟାପକ ଜଙ୍ଗଲ କାଟି ସେଠାରେ ରାସ୍ତା କରିବା ସହ କମ୍ପାନୀକୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ସଂଯୋଗ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । କମ୍ପାନୀକୁ ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି । ଏନେଇ ଗଣମାଧ୍ୟମ ପ୍ରଶ୍ନ କରିବା ପରେ ଏବେ ଡିଏଫଓ ବିଦ୍ୟୁତ ବିଭାଗ ଓ ସଂପୃକ୍ତ କମ୍ପାନୀକୁ ନୋଟିସ କରିଥିବା କହିଛନ୍ତିି । ଜଣେ ଦିନ ମଜୁରିଆ ଘର ଚଳାଇବା ପାଇଁ ଜଙ୍ଗଲରୁ କାଠ କାଟିଲେ, ଜଙ୍ଗଲ ବିଭାଗର ଆଇନରୁ ବର୍ତି ପାରୁ ନାହିଁ । ହେଲେ ବିନା ଅନୁମତିରେ ଜଙ୍ଗଲରୁ ଗଛ କାଟିବା ସହ କମ୍ପାନୀକୁ ବିଦ୍ୟୁତ୍ ସଂଯୋଗ କିପରି କରାଗଲା ସେନେଇ ପ୍ରଶ୍ନ ଉଠିଛି ।