ବିଶାଖପାଟଣା ରାଗିଂରେ ପ୍ରାଣ ହରାଇଥିବା ଛାତ୍ରଙ୍କ ଗାଁରେ ବଢିଲା ଉତ୍ତେଜନା । ଦୋଷୀଙ୍କୁ କାର୍ଯ୍ୟାନୁଷ୍ଠାନ ଦାବିରେ ରେଳରୋକ

33

କନକ ବ୍ୟୁରୋ : ଗଡପୋଷରେ ରେଳରୋକ । ଭାଇଜାଗ୍ ରାଗିଂରେ ପ୍ରାଣ ହରାଇଥିବା ଶ୍ରେୟଶ କେଶରୀୱାନଙ୍କ ପରିବାର ଓ ସ୍ଥାନୀୟ ଲୋକ ଆଜି ରେଳରୋକ କରିଛନ୍ତି । ଶ୍ରେୟସଙ୍କ ମୃତ ଦେହ ଆଜି ସକାଳେ ସମ୍ବଲପୁରର ଗଡ଼ପୋଷ ସ୍ଥିତ ବାସଭବନରେ ପହଂଚିବା ପରେ ଦେଖା ଦେଇଛି ଉତ୍ତେଜନା । ମୃତ ଛାତ୍ରଙ୍କ ପରିବାର ଓ ସ୍ଥାନୀୟ ଲୋକ ରେଳରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜି ସକାଳେ ଶ୍ରେୟସଙ୍କ ମୃତ ଦେହ ଭୁବନେଶ୍ୱରରୁ ଆସି ଗଡପୋଷରେ ପହଂଚିଥିଲା । ଏହା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଘଟଣାର ପ୍ରତିବାଦରେ ଗଡ଼ପୋଷରେ ଆଜି ବନ୍ଦ ପାଳନ କରାଯାଉଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକ । ସେପଟେ ଆନ୍ଦୋଳନକାରୀଙ୍କ ସହ ପ୍ରଶାସନର ଉଚ୍ଚ ଅଧିକାରୀ ଆଲୋଚନା କରିବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ଅନ୍ୟ ପଟେ ଆସନ୍ତା ୨୪ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ । ଏହି ମୃତ୍ୟୁ ଘଟଣାରେ ମାଜିଷ୍ଟ୍ରେଟ ଏତଲା ଲେଖିଥିବା ଜଣାପଡିଛି ।

ସେପଟେ କଲେଜରେ ରାଗିଂ କରାଯାଉଥିବା ସ୍ପଷ୍ଟ କରିଛନ୍ତି ମୃତ ଶ୍ରେୟସଙ୍କ ସହପାଠୀ । ଏହା ସହ ରାଗିଂ କରୁଥିବା ୩ ଜଣ ଛାତ୍ରଙ୍କୁ କଲେଜରୁ ବାହାର କରାଯାଇଥିବା କନକ ନ୍ୟୁଜ୍କୁ ଦେଇଥିବା ପ୍ରତିକ୍ରିୟାରେ ସେ ସୂଚନା ଦେଇଛନ୍ତି । ଏହା ସହ ରାଗିଂ ଭିଡିଓ କରିବା ସହ ଏହାକୁ ଭାଇରାଲ କରିଥିବା ଅଭିଯୋଗରେ ୩ ଜଣଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଥିବା ଜଣାପଡିଛି ।

ଉଲ୍ଲେଖ ଥାଉ କି,  ଆନ୍ଧ୍ରପ୍ରଦେଶ ଭାଇଜାଗର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟରେ ଯୁକ୍ତ ଦୁଇରେ ପଢୁଥିଲେ ଏହି ଓଡିଆ ଛାତ୍ର । ର୍ୟାଗିଂର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଗତକାଲି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ । ଅଭିଯୋଗ ଅନୁସାରେ, ସମ୍ବଲପୁର ବମରା ଅଂଚଳ ଗୋଡପୋଷର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସଙ୍କୁ ସେ ପଢୁଥିବା କଲେଜର କିଛି ଛାତ୍ର ଗତ ଡିସେମ୍ବର ମାସରେ ରାଗିଂ କରିବା ସହ ପ୍ରବଳ ମାଡ ମାରିଥିଲେ । ଏପରିକି ବାହାରେ ପ୍ରକାଶ କଲେ ଅବସ୍ଥା ଖରାପ ହେବ ବୋଲି ଧମକ ଚମକ ଦେଇଥିଲେ ।

ସେଥିପାଇଁ ବାପାଙ୍କୁ ଫୋନ କରି ବାଥରୁମରେ ଖସିପଡିଥିବା କହିଥିଲେ ଶ୍ରେୟସ । ପୁଅର ଫୋନକଲ ପାଇବା ପରେ ତାକୁ ଆଣି ରାଉରକେଲା ଆଇଜିଏଚରେ ଭର୍ତି କରିଥିଲେ । ହେଲେ ଏଠାରେ ପରିବାର ଲୋକଙ୍କୁ ସାଥୀ ଛାତ୍ରମାନେ କିଭଳି ର୍ୟାଗିଂ କରିବା ସହ ତାଙ୍କୁ ମାଡ ମାରିଥିଲେ ସେନେଇ କହିଛନ୍ତି ଶ୍ରେୟସ । ଯାହାକୁ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ ପରିବାର ଲୋକ । ଏହି ଭିଡିଓ କନକ ନ୍ୟୁଜର ହସ୍ତଗତ ହୋଇଛି ।