ମାସେ ତଳୁ ପୋତି ହୋଇଥିଲା କେଳୁଣୀ ମୁହାଣ, ଚୁପ୍ ବସିଥିଲା ପ୍ରଶାସନ । ନିଜ ଉଦ୍ୟମରେ ମୁହାଣ ଖୋଲିଲେ ଗ୍ରାମବାସୀ, ସମୁଦ୍ରକୁ ନିଷ୍କାସନ ହେଲା ଗାଁରେ ପଶିଥିବା ବନ୍ୟା ପାଣି ।

182

କନକ ବ୍ୟୁରୋ : ପ୍ରବଳ ବର୍ଷା ପରେ ନଦୀର ବନ୍ୟାଜଳ ସମୁଦ୍ରକୁ ଯିବା ବଦଳରେ ପଶିଆସିଥିଲା ଗାଁ ଭିତରକୁ । କାରଣ, ବନ୍ଦ ହୋଇଯାଇଥିଲା ନଦୀ ମୁହାଣ । ଫଳରେ ଅସ୍ତରଂଗ ବ୍ଳକର ୫ଟି ପଂଚାୟତ ବାସିନ୍ଦା ଫଶିରହିଥିଲେ ପାଣି ଭିତରେ । ଆଜି ଗାଁ ଲୋକଙ୍କ ସହାୟତାରେ ଖୋଳାଯାଇଛି କେଲୁଣୀ ନଦୀ ମୁହାଣ । ଆଉ ନିଷ୍କାସିତ ହୋଇଛି ବନ୍ୟା ପାଣି ।

ସମୁଦ୍ରରେ ମିଶିଲା କାଦୁଆ ଓ ପ୍ରାଚୀ ନଦୀର ବନ୍ୟା ପାଣି । ବନ୍ଦ ହୋଇଯାଇଥିବା କେଲୁଣୀ ମୁହାଣ ଖୋଲିବା ପରେ ସମୁଦ୍ରକୁ ବହି ଯାଇଛି ନଦୀର ଜଳ । ଲଗାଣ ବର୍ଷା ଫଳରେ ଏହି ଦସ୍ୱବ ନଦୀ ଉଛୁଳି ଗାଁ ଭିତରେ ପଶି ଥିବାରୁ ଆକ୍ସନ ମୋଡକୁ ଆସିଯାଇଥିଲେ ଗାଁ ଲୋକ । ଏପରି ଏକ ସ୍ଥିତିରେ ସବୁବେଳେ ପ୍ରଶାସନ ଉପରେ ଲୋକେ ନିର୍ଭର କରୁଥିବା ବେଳେ ନିଜ ଉଦ୍ୟମରେ ମୁହାଣ ଖୋଳି ଉଦାହରଣ ସୃଷ୍ଟି କରିଛନ୍ତି ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ୫ଟି ପଂଚାୟତର ଲୋକେ ।

ମୁହାଣ ଖୋଳିଲେ ଗ୍ରାମବାସୀ । ସମୁଦ୍ରରେ ମିଶିଲା ନଦୀର ବଳକା ପାଣି । ମାସେ ହେବ ପୋତି ହୋଇଯାଇଥିଲା ଅସ୍ତରଙ୍ଗର ପ୍ରକୃତି କେଲୁଣୀ ମୁହାଣ । ତେଣୁ ଲଗାଣ ବର୍ଷା ସମୟରେ ପ୍ରାଚୀ ଓ କାଦୁଆ ନଦୀର ବନ୍ୟା ଜଳ ସମୁଦ୍ରକୁ ଯିବା ବଦଳରେ ଗାଁ ଭିତରେ ଜମି ରହିଥିଲା । ଫଳରେ ପ୍ରାୟ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । ଗାଁରୁ ପାଣି ନିଷ୍କାସନ ନହେବାରୁ କେଲୁଣୀ ମୁହାଣ ଖୋଳିବା ପାଇଁ ନିଷ୍ପତି ନେଇଥିଲେ ଗ୍ରାମବାସୀ ।

ପ୍ରାୟ ୨୦୦ ଗ୍ରାମବାସୀ ୪୮ ଘଂଟା ଧରି ଅକ୍ଳାନ୍ତ ପରିଶ୍ରମ କରି ମୁହାଣ ଖୋଳିଛନ୍ତି । ମୁହାଣ ବନ୍ଦ ହୋଇଯାଇଥିବାରୁ ବନ୍ୟା ଜଳ କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଲୋକଙ୍କ ଘରେ ପଶିବା ସହ ଧାନ ବିଲରେ ଜମି ରହିଥିଲା । ଅସ୍ତରଙ୍ଗର ୩ଟି ପ୍ରମୁଖ ରାସ୍ତାରେ ପାଣି ବହିବା ସହ କାକଟପୁର ବ୍ଲକର ନଡିଆମଠ, ଉଦୟକଣ, ତତ୍ପହାର, ଛେନୁଆ, କଲମକଣି ପରି ୫ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା ।