ଗ୍ରାମବାସୀଙ୍କୁ ବୁଲବୁଲ୍ ଭୟ: ସତ୍ୟବାଦୀ ବ୍ଲକ୍ ବାଗଲପୁର ଗ୍ରାମବାସୀଙ୍କ ମନରୁ ଯାଇନି ଫନି ଭୟ; ପୁନର୍ବାର ବାତ୍ୟା ଉଜାଡି ନ ଦେଉ ଗାଁର ହସଖୁସି: ଭଗବାନଙ୍କ ଶରଣରେ ଗାଁଲୋକେ

759

କନକ ବ୍ୟୁରୋ: ଗଭୀର ସମୁଦ୍ରରୁ ବଳ ଗୋଟାଇ ଅତି ଭୟଙ୍କର ରୂପ ଧାରଣ କରି ମାଡି ଆସୁଛି ସାମୁଦ୍ରିକ ଝଡ ବୁଲବୁଲ । ଘଂଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ମାଡି ଆସୁଛି ବାତ୍ୟା ବୁଲବୁଲ । ଏହି ସାମୁଦ୍ରିକ ଝଡ ସାମ୍ନାରେ ଯାହା ବି ପଡୁଛି ସବୁ ଛାରଖାର ହୋଇଯାଉଛି । ତେବେ ଯଦିଓ ଓଡିଶାକୁ ବୁଲବୁଲ ଛୁଇଁବନି କିନ୍ତୁ ବାତ୍ୟା ପ୍ରଭାବ ରାଜ୍ୟରେ ଆରମ୍ଭ ହୋଇଯାଇଛି ପବନ ସାଙ୍ଗକୁ ବର୍ଷା । ବାତ୍ୟା ପ୍ରଭାବରେ କେଉଁଠି ଗଛ ଭାଙ୍ଗିଲାଣି ତ ପୁଣି କେଉଁଠି ଘରର ଛାତ ଉଡିଗଲାଣି । ପୁଣି କେଉଁଠି ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ଗଦା ହୋଇଗଲାଣି । ତେବେ ବୁଲବୁଲ ପ୍ରକୋପରେ ଓଡିଶା ବର୍ତ୍ତି ଗଲେ ସୁଦ୍ଧା ଏହାର ସାମାନ୍ୟତମ ପ୍ରଭାବବି ରାଜ୍ୟ ଉପରେ ଏବେଠୁ ଭାରି ପଡିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ନିକଟ ଅତୀତରେ ଭୟଙ୍କର ସାମୁଦ୍ରିକ ବାତ୍ୟା ଫୋନିର କରାଳ ରୂପରେ ଛାରଖାର ହୋଇଯାଇଥିବା ପୁରୀବାସୀଙ୍କ ମନରେ ବୁଲବୁଲକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ତେଣୁ ଫୋନି ଭଳି ବାତ୍ୟାକୁ ଆଉ ଯେମିତି ନଦେଖୁ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଗାଁ ଲୋକେ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବାଗଲପୁର ଗ୍ରାମବାସୀ ବୁଲବୁଲକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ତେଣୁ ପୁନର୍ବାର ବୁଲବୁଲ୍ ବାତ୍ୟା ଉଜାଡି ନ ଦେଉ ଗାଁର ହସଖୁସି , ତେଣୁ ଖୋଳା, ଗିନି ଧରି ଈଶ୍ୱରଙ୍କୁ ଡାକୁଛନ୍ତି ଗ୍ରାମବାସୀ ।

ସେପଟେ ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷକରି ମହାକାଳପଡା , ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ମହାକାଳପଡାରେ ପବନ କମିଥିବାବେଳେ ରାଜନଗରର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପବନ ଲାଗି ରହିଛି । ୬୦ରୁ ୭୦ କିମି ବେଗରେ ପବନ ବହୁଛି । ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ମଧ୍ୟ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଘର ଉପରେ ମଧ୍ୟ ଗଛ ପଡିଥିବା ଜଣାପଡିଛି । ପରିସ୍ଥିତିକୁ ନଜରରେ ରଖି ୨ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।