ନଦୀ ପାରି ପାଇଁ ବାଉଁଶ ପୋଲ ସାହାରା : ଦୁଃଖ ବୁଝୁନି ପ୍ରଶାସନ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ 

171

କନକ ବ୍ୟୁରୋ : ଆଦିବାସୀଙ୍କ ବିକାଶ ନିମନ୍ତେ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଏହି ସବୁ ଯୋଜନା କ’ଣ ସତରେ ପହଁଚି ପାରୁଛି ଲୋକଙ୍କ ପାଖରେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଆଦିବାସୀ ଅଂଚଳର ବାସିନ୍ଦା । ଯେଉଁଠି ଗମନାଗମନ ପାଇଁ କେବଳ ଏକ କାଠ ପୋଲ ହିଁ ସାଜିଛି ଭରସା ।

ନା ଅଛି ପକ୍କା ରାସ୍ତା, ନା ଅଛି ଭଲ ବ୍ରିଜ୍ । ନଦୀ ପାରି ହେବା ପାଇଁ ବାଉଁଶ ପୋଲ ଏକମାତ୍ର ସାହାରା । ବୋଝ ମୁଣ୍ଡାଇ ବାଉଁଶ ପୋଲ ପାର ହେଉଛନ୍ତି ଗ୍ରାମବାସୀ ।  ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ତେନ୍ତୁଳିଆ ପଂଚାୟତ ଅନ୍ତର୍ଗତ ଆମ୍ବଖାଲ, ଗୋପିଆପଲି ଗ୍ରାମର ନାହିଁନଥିବା ହଇରାଣ ହେଉଛନ୍ତି ଗ୍ରାମବାସୀ  । ବଣ, ଜଙ୍ଗଲ, ପାହାଡ ଘେରା ଏହି ଦୁଇଟି ଗାଁରେ ବସବାସ କରନ୍ତି ୮୦ଟି ଆଦିବାସୀ ପରିବାର । ହେଲେ ଏହି ଗାଁକୁ ସଂଯୋଗ କରିବାକୁ ଭଲ ରାସ୍ତାଟିଏ ନାହିଁ । ପାଖରେ ବହି ଯାଉଥିବା ଧନେଇ ନଦୀ ଉପରେ ଥିବା ଏକ ଅସ୍ଥାୟୀ ବାଉଁଶ ପୋଲ ହିଁ ଭରଷା । ଅନ୍ୟଦିନ ଅପେକ୍ଷା ବର୍ଷାଦିନେ ଗ୍ରାମବାସୀଙ୍କ ସମସ୍ୟା ଆହୁରି ବଢିଯାଇଥାଏ ।

ଅନ୍ୟପଟେ ବ୍ରିଜି ନିର୍ମାଣ ପାଇଁ ୪ କୋଟି ବ୍ୟୟ ବରାଦ କରାଯାଇଛି । ଟେଣ୍ଡର୍ ମଧ୍ୟ ସରିଛି । ମାତ୍ର ବର୍ଷାଯୋଗୁଁ କାମ ଅଟିକିଛି ବୋଲି କହିଛନ୍ତି ଗଂଜାମ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ । ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

ଦୀର୍ଘ ୨୦ ବର୍ଷ ଧରି ପୋଲସରା ବ୍ଲକର ଆମ୍ବଖାଲ ଓ ଗୋପିଆପଲି ଗ୍ରାମବାସୀ କେବଳ ଏହି ବାଉଁଶ ପୋଲ ସାହାଯ୍ୟରେ ଯାତାୟତ କରୁଛନ୍ତି । ଗମନାଗମନ ପାଇଁ ରାଜ୍ୟସରକାରଙ୍କ କୋଷରୁ ଅର୍ଥ ଖର୍ଚ୍ଚ ହେଉଥିବାବେଳେ, ଅସ୍ଥାୟୀ ବୋଲ ବଦଳରେ କେବେ ସ୍ଥାୟୀ ପୋଲ ନିର୍ମାଣ ହେବ ତାହାକୁ ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ ।